ପିସିଏଲ : ରସଲଙ୍କ ପରେ ଡୁ ପ୍ଲେସିସ୍‌ ଆହତ

ଆବୁଧାବି : ପାକିସ୍ତାନ କ୍ରିକେଟ୍‌ ଲିଗ୍‌ (ପିସିଏଲ) ସିଜନ ୬ ର ଅବଶିଷ୍ଟ ମ୍ୟାଚ୍‌ ଆବୁଧାବିରେ ଖେଳାଯାଉଛି । ଫିଲ୍ଡିଂ ବେଳେ ସାଥୀ ଖେଳାଳି ମହମ୍ମଦ ହସେନଙ୍କ ସହ ମୁହାଁମୁହିଁ ହେବା ପରେ ଦକ୍ଷିଣ ଆଫ୍ରିକାର ଖେଳାଳି ଫାଫ ଡୁ ପ୍ଲେସିସ୍‌ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି । ସ୍କାନ ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଫାଫ୍‌ କ୍ୱୌଟା ଗ୍ଲାଡିଏଟର୍ସ ପାଇଁ ଖେଳୁଛନ୍ତି ।
ପେଶୱାର ଜଲମି ବିପକ୍ଷରେ ଫିଲ୍ଡିଂ କରୁଥିବାବେଳେ ଡୁ ପ୍ଲେସିସ୍‌ ଆହତ ହୋଇଥିଲେ । ପେଶୱାର ଇନିଂସର ସପ୍ତମ ଓଭରରେ ବ୍ୟାଟ୍ସମ୍ୟାନ୍‌ ଡେଭିଡ ମିଲର ଏକ ସଟ୍‌ ଖେଳିଥିଲେ । ଏହି ସମୟରେ ସୀମାରେ ବଲ ଧରିଥିବାବେଳେ ହସେନଙ୍କ ଗୋଡ ଡୁ ପ୍ଲେସିସ୍‌ଙ୍କ ମୁଣ୍ଡରେ ବାଜିଥିଲା । କିଛି ସମୟ ପରେ ତାଙ୍କୁ ଏକ ଷ୍ଟ୍ରେଚର ସାହାଯ୍ୟରେ ପଡିଆରୁ ନିଆଯାଇଥିଲା । ପରେ ସେ ଡଗ ଆଉଟ଼ରେ ବସିଥିବାର ନଜର ଆସିଥିଲେ । ସ୍କାନ ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଆଇପିଏଲରେ ଡୁ ପ୍ଲେସିସ ଚେନ୍ନାଇ ପକ୍ଷରୁ ଖେଳିଥାନ୍ତି । ଆଗାମୀ ସେପ୍ଟେମ୍ବର ମାସରେ ଆଇପିଏଲର ବାକି ଥିବା ମ୍ୟାଚ ଆୟୋଜନ ହେବାର ସ୍ଥିରକୃତ ହୋଇଛି । ଯଦି ତାଙ୍କର ଆହତ ସମସ୍ୟା ଜଟିଳ ଥାଏ ତେବେ ଚେନ୍ନାଇ ପାଇଁ ଏହାଏକ ବଡ ଝଟକା ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Comments (0)
Add Comment