୬ଟି ଟିମ୍‌କୁ ନେଇ ହେବ ମହିଳା ଆଇପିଏଲ!

ନୂଆଦିଲ୍ଲୀ : ଆର ବର୍ଷ ଆଇପିଏଲ ଆହୁରି ଜମିବ । କାରଣ,ଆସନ୍ତା ବର୍ଷ ପୁରୁଷ ଆଇପିଏଲ ସାଙ୍ଗକୁ ମହିଳା ଆଇପିଏଲ ପୂରା ଆକର୍ଷଣୀୟ ଢଙ୍ଗରେ ଖେଳାଯିବ । ମହିଳା ଆଇପିଏଲକୁ ନେଇ ଗତ କିଛି ଦିନ ହେଲା ରୋଚକ ସୂଚନା ଆସିବାରେ ଲାଗିଛି । ଆଜି ସେହିଭଳି ଏକ ସୂଚନା ମିଳିଛି । ପୁରୁଷଙ୍କ ଭଳି ମହିଳା ଆଇପିଏଲରେ ମଧ୍ୟ ଟିମ ସଂଖ୍ୟା ବଢିବ । ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍‌କୁ ନେଇ ମହିଳା ଆଇପିଏଲ ଆୟୋଜନ ହେବ । ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡିଛି । ଆଜି ପ୍ରାୟ ଦୁଇ ବର୍ଷ ପରେ ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା । ଏହି ସମୟରେ ବିସିସିଆଇ ଆସନ୍ତା ବର୍ଷରୁ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ବା ଆଇପିଏଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ ୬ଟି ଟିମ୍‌ ଭାଗ ନେବେ । ବର୍ତ୍ତମାନ ମହିଳା ଆଇପିଏଲକୁ ସ୍ପନସର କରୁଥିବା ଟିମ୍‌କୁ ପ୍ରଥମେ ଦଳ ବାଛିବାକୁ ଅନୁମତି ମିଳିବ । ବର୍ତ୍ତମାନ ବିସିସିଆଇ ପରୀକ୍ଷାମୂଳକ ଭାବେ ମହିଳା ଟି-୨୦ ଚ୍ୟାଲେଞ୍ଜ ୩ ଟିମକୁ ନେଇ ଆୟୋଜନ କରୁଛି । ୨୦୨୧ରେ କରୋନା ପାଇଁ ମହିଳା ଆଇପିଏଲ ଅନୁଷ୍ଠିତ ହୋଇପାରି ନଥିଲା । ୨୦୨୨ରେ କିନ୍ତୁ ପ୍ରଦର୍ଶନୀ ମ୍ୟାଚ୍‌ ଅନୁଷ୍ଠିତ ହେବ । ବୋର୍ଡ ପକ୍ଷରୁ ୨୦୧୮ରେ ମହିଳା ଟି-୨୦ ଚ୍ୟାଲେଞ୍ଜ ଆରମ୍ଭ କରାଯାଇଥିଲା । ପ୍ରଥମ ସିଜନରେ କେବଳ ଗୋଟିଏ ମୁକାବିଲା ହୋଇଥିଲା । ତେବେ ୨୦୧୯ ଓ ୨୦୨୦ରେ ୩ ଟିମ୍‌ ମଧ୍ୟରେ ୪ଟି ଲେଖାଏ ମ୍ୟାଚ୍‌ ଖେଳାଯାଇଥିଲା । ୨୦୨୦ରେ ଭାରତ ବ୍ୟତୀତ ୭ ଦେଶର ମହିଳା ଖେଳାଳି ଏଥିରେ ସାମିଲ୍‌ ହୋଇଥିଲେ । ଏଥିରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍‌ ଓ ଥାଇଲ୍ୟାଣ୍ଡର ଖେଳାଳି ଭାଗ ନେଇଥିଲେ । ଅଷ୍ଟ୍ରେଲିଆ ବହୁ ଆଗରୁ ୮ ଟିମକୁ ନେଇ ମହିଳା ବିଗ ବ୍ୟାଶ୍‌ ଲିଗ୍‌ ଆୟୋଜନ କରିଆସୁଛି । ଇଂଲିଶ କ୍ରିକେଟ ବୋର୍ଡ ବି ପୂର୍ଣ୍ଣକାଳୀନ ମହିଳା ଟି-୨୦ ଲିଗ୍‌ ଆୟୋଜନ କରୁଛନ୍ତି । ଆଗକୁ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ମହିଳା ଟି-୨୦ ଲିଗ୍‌ ଆୟୋଜନ କରିବେ । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ମଧ୍ୟ ପୂର୍ଣ୍ଣକାଳୀନ ମହିଳା ଟି-୨୦ ଚ୍ୟାଲେଞ୍ଜ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

Comments (0)
Add Comment