ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ ଟେଷ୍ଟ ସିରିଜ ହାରିବା ଭାରତ ପାଇଁ ମହଙ୍ଗା ପଡ଼ିଛି । ଏଥିଯୋଗୁ ଆଇସିସି ର୍ୟାଙ୍କିଙ୍ଗରେ ଭାରତ କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ,ଆସେସ୍ ସିରିଜ ଜିତିବା ପରେ ଅଷ୍ଟ୍ରେଲିଆ କିନ୍ତୁ ବେଶ୍ ଲାଭବାନ ହୋଇଛି । ଆଜି ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା ତାଲିକା । କିଛି ଦିନ ଧରି ଏକ ନମ୍ବର ସ୍ଥାନରେ ରାଜୁତି କରିଥିବା ଭାରତକୁ ଧକ୍କା ଲାଗିଛି । ରାଜୁତି ଶେଷ ହୋଇଛି । ଭାରତକୁ ହଟାଇ ଅଷ୍ଟ୍ରେଲିଆ ହୋଇଛି ନମ୍ବର ୱାନ । ପ୍ରକାଶଥାଉକି, ଆସେସ ସିରିଜରେ ଇଂଲଣ୍ଡକୁ ୪-୦ରେ ହରାଇଥିଲା ଅଷ୍ଟ୍ରେଲିଆ । ସେହିପରି, ଟେଷ୍ଟ ସିରିଜରେ ଭାରତ ଆଫ୍ରିକାଠାରୁ ୧-୨ରେ ହାରିଯାଇଥିଲା । ଆଫ୍ରିକାରେ ଭାରତର ଟେଷ୍ଟ କେବେ ବି ଭଲ ନାହିଁ । ଆଜି ପ୍ରକାଶିତ ତାଲିକାରେ ଭାରତ ତୃତୀୟ ସ୍ଥାନକୁ ଖସିଆସିଛି । ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି)ର ଚାମ୍ପିଅନ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ବାଂଲାଦେଶ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା । ଆଫ୍ରିକା ଟେଷ୍ଟ ସିରିଜ ବିଜୟ ବଳରେ ତାଲିକାରେ ଗୋଟିଏ ପାହାଚ ଚଢି ପଂଚମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ କିନ୍ତୁ ତଳକୁ ଖସିଛି । ଏହା ଗୋଟିଏ ପାହାଚ ତଳକୁ ଖସି ଷଷ୍ଠ ସ୍ଥାନରେ ରହିଛି । ଅପରପକ୍ଷରେ,ଶ୍ରୀଲଙ୍କା,ଜିମ୍ବାୱେ,ୱେଷ୍ଟ ଇଣ୍ଡିଜ,ବାଂଲାଦେଶ,ଆଫଗାନିସ୍ଥାନ ଓ ଆୟରଲାଣ୍ଡର ସ୍ଥାନ ଅପରିବର୍ତ୍ତିତ ରହିଛି ।