ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

ଅହମ୍ମଦାବାଦ,୬/୨: ଆଜିଠୁ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୬ ୱିକେଟରେ ଅତଥି ଦଳକୁ ପରାସ୍ତ କରି ୧-୦ର ଅଗ୍ରଣୀ ହାସଲ କରିଛି । ଆଜି ଥିଲା ଭାରତର ୧୦୦୦ତମ ଦିନିକିଆ । ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଆଶାନୁରୂପ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ୬ ୱିକେଟ୍‌ରେ ପରାସ୍ତ କରିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୪୩.୫ ଓଭରରେ ୧୭୬ ରନରେ ଅଲଆଉଟ୍‌ ହୋଇଥିଲା । ଦଳ ପକ୍ଷରୁ ଜାସନ ହୋଲଡର ସର୍ବାଧିକ ୫୭ ରନ କରିଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ(୪ ୱିକେଟ୍‌) ଓ ୱାଶିଂଟନ ସୁନ୍ଦର(୩)ଙ୍କ ଘାତକ ବୋଲିଂ ଭ୍ରମଣକାରୀ ଦଳକୁ ବଡ ସ୍କୋର କରିବାକୁ ଦେଇନଥିଲେ । ଏହାର ଜବାବରେ ଭାରତ ୨୮ ଓଭରରେ ୪ ୱିକେଟ୍‌ ହରାଇ ସହଜ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୬୦ ରନର ଦମଦାର ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ(୩୪) ଏବଂ ଦୀପକ ହୁଡ୍ଡା(୨୮) ଅପରାଜିତ ରହି ଦଳକୁ ୬ ୱିକେଟ୍‌ରେ ବିଜୟୀ କରାଇଛନ୍ତି । ସିରିଜ୍‌ର ଦ୍ୱିତୀୟ ଦିନିକିଆ ଫେବୃଆରୀ ୯ରେ ଖେଳାଯିବ ।

Comments (0)
Add Comment