ବିଜୟରୁ ଭାରତର ଟି-୨୦ ସିରିଜ ଅଭିଯାନ : ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୬୨ ରନରେ ହରାଇଲା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ମିଳିଛି ବୃହତ ଓ ଚମକ୍ରାର ବିଜୟ । ଆଉ ଏହି ବିଜୟରୁ ହିଁ ଭାରତ ଆରମ୍ଭ କରିଛି ତା’ର ଅଭିଯାନ । ଏହି ମ୍ୟାଚରେ ଭାରତ ଅତିଥି ଦଳକୁ ୬୨ ରନରେ ପରାସ୍ତ କରିଛି । ଏଥିସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଉଥିବା ଉକ୍ତ ମ୍ୟାଚରେ ଈଶାନ୍‌ କିଶନ୍‌ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍‌ ହରାଇ ୧୯୯ ରନ୍‌ କରିଥିଲା । ଜବାବରେ ଶ୍ରୀଲଙ୍କା ୬ ୱିକେଟ୍‌ ହରାଇ ୧୩୭ ରନ୍‌ କରିବାକୁ ସକ୍ଷମ ହୋଇଛି । ୨୦୦ ରନର ବଡ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ଦୁଇ ଓପ୍ନର ପାଥୁମ ନିଶାଙ୍କ (୦) ଓ କାମିଲ୍‌ ମିଶରା (୧୩)ଙ୍କୁ ଭୁବନେଶ୍ୱର କୁମାର ପ୍ୟାଭିଲିୟନ୍‌ ପଠାଇଥିଲେ । ମିଡିଲ୍‌ ଅର୍ଡରରେ ଚରିଥ ଅସଲଙ୍କା ଏକାକୀ ଦଳ ପାଇଁ ଲଢିଥିବା ବେଳେ ତାଙ୍କୁ ସାଥି ଖେଳାଳି ସହଯୋଗ କରିନଥିଲେ । ଅସଲଙ୍କା ସର୍ବାଧିକ ୫୩ (୪୭ ବଲ୍‌, ୫ ଚୌକା) ରନ୍‌ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନିଥ ଲିୟାନାଗେ ୧୧, ଦିନେଶ ଚାଣ୍ଡିମଲ୍‌ ୧୦, କ୍ୟାପଟେନ୍‌ ଦାସୁନ୍‌ ଶନକା ୩, ଚାମିକା କରୁଣାରତ୍‌ନେ ୨୧ ଓ ଦୁଷ୍ମନ୍ତ ଚମୀରା ଅପରାଜିତ ୨୪ (୧୪ ବଲ୍‌, ୨ ଚୌକା ଓ ୧ ଛକା) ରନ୍‌ କରିଥିଲେ । ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଭେଙ୍କଟେଶ ଆୟର୍‌ ୨ଟି ଲେଖାଏ ୱିକେଟ୍‌ ହାସଲ କରିଥିଲେ । ସେହିପରି ୟୁଜବେନ୍ଦ୍ର ଚହଲ୍‌, ରବୀନ୍ଦ୍ର ଜାଡେଜା ଓ ଦୀପକ ହୁଡା ଗୋଟିଏ ଲେଖାଏ ସଫଳତା ପାଇଥିଲେ । ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରୋହିତ୍‌ ଓ ଈଶାନ୍‌ । ଦୁହେଁ ୩୨ ବଲରେ ଭାରତର ସ୍କୋରକୁ ୫୦ ରନରେ ପହଞ୍ଚାଇଥିଲେ । ପରେ ଈଶାନ୍‌ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୩୦ ବଲରେ ପୂରଣ କରିଥିଲେ । ତେବେ ରୋହିତ୍‌ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଆଉଟ୍‌ ହେବା ପୂର୍ବରୁ ରୋହିତ୍‌ ଈଶାନଙ୍କ ସହ ମିଶି ପ୍ରଥମ ୱିକେଟ୍‌ ପାଇଁ ୧୧୧ ରନର ଶତକୀୟ ଭାଗିଦାରୀ କରିଥିଲେ । ରୋହିତ୍‌ ୩୨ ବଲରେ ୨ ଚୌକା ଓ ୧ ଛକା ସହ ୪୪ ରନ୍‌ କରିଥିଲେ । ଶ୍ରେୟସୁ ସେଟ୍‌ ହେବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ । ଅନ୍ୟପଟେ ଈଶାନ୍‌ ନିଜର ବ୍ୟାଟିଂ ଜାରି ରଖି ଶତକ ଆଡକୁ ଅଗ୍ରସର ହେଉଥିବା ବେଳେ ଭ୍ରମଣକାରୀ ଦଳର କ୍ୟାପଟେନ୍‌ ଦାସୁନ୍‌ ଶନକାଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ । ସେ ମାତ୍ର ୫୬ ବଲର ସାମ୍ନା କରି ୮୯ ରନର ଇନିଂସ୍‌ ଖେଳିଥିଲେ ।

Comments (0)
Add Comment