ଜାରିହେଲା ସଂଶୋଧିତ ଭାରତ-ଶ୍ରୀଲଙ୍କା ଖେଳସୂଚୀ : ଆସନ୍ତା ୨୪ରୁ ଟି-୨୦ ଓ ମାର୍ଚ୍ଚ ୪ରୁ ଟେଷ୍ଟ

ନୂଆଦିଲ୍ଲୀ,୧୫/୨: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି-୨୦ ଓ ଟେଷ୍ଟ ସିରିଜ ଖେଳସୂଚୀରେ କେତେକ ପରିବର୍ତ୍ତନ କରିଛି ବିସିସିଆଇ । ଆଜି ବିସିସିଆଇ ପକ୍ଷରୁ ଏହି ସଂଶୋଧିତ ଖେଳସୂଚୀ ଜାରି କରାଯାଇଛି । ଏହି ଖେଳସୂଚୀ ଅନୁଯାୟୀ,ପ୍ରଥମେ ଟି୨୦ ଓ ପରେ ଟେଷ୍ଟ ସିରିଜ ଖେଳାଯିବ । ମୂଳ ଯୋଜନାରେ କିନ୍ତୁ ଶ୍ରୀଲଙ୍କା ଟେଷ୍ଟରୁ ହିଁ ତା’ର ଭାରତ ଗସ୍ତ ଆରମ୍ଭ କରିବାର ଥିଲା । ତେବେ ଶ୍ରୀଲଙ୍କାର ଅନୁରୋଧକ୍ରମେ ଏହି ପରିବର୍ତ୍ତନ କରାଯାଇଛି । ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଆଜି ଜାରି ହୋଇଥିବା ସୂଚୀ ଅନୁଯାୟୀ,ପ୍ରଥମ ଟି-୨୦ ମ୍ୟାଚ୍‌ ଫେବୃଆରୀ ୨୪ରେ ଲକ୍ଷେ୍ନøରେ ଖେଳାଯିବ । ଏହାପରେ ୨୬ ଓ ୨୭ ଫେବୃଆରୀରେ ଦୁଇ ଦେଶ ମଧ୍ୟରେ ଦୁଇଟି ଯାକ ଟି-୨୦ ମ୍ୟାଚ୍‌ ଧର୍ମଶାଳାରେ ଅନୁଷ୍ଠିତ ହେବ । ଟି-୨୦ ସିରିଜ୍‌ ପରେ ମାର୍ଚ୍ଚ ୪ରୁ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ମୋହାଲିରେ ଓ ଦ୍ୱିତୀୟ ଟେଷ୍ଟ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୪ରୁ ୮ ତାରିଖ ଯାଏ ପ୍ରଥମ ଟେଷ୍ଟ ମୋହାଲୀରେ ଏବଂ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ମାର୍ଚ୍ଚ ୧୨ରୁ ୧୬ ତାରିଖ ଯାଏଁ ବେଙ୍ଗାଲୁରୁରେ ଖେଳାଯିବ । ବେଙ୍ଗାଲୁରୁ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ । ଭାରତ ତୃତୀୟ ଥର ପାଇଁ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି । ୨୦୧୯ରେ ଭାରତ ପ୍ରଥମଥର ପାଇଁ ବାଂଲାଦେଶ ବିପକ୍ଷରେ ଓ ୨୦୨୧ରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଦିବରାତ୍ର ଟେଷ୍ଟ ଖେଳିଥିଲା । ଏବେ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ ବଲ ଟେଷ୍ଟ ଅନୁଷ୍ଠିତ ହେବ । ପ୍ରାଥମିକ ଅବସ୍ଥାରେ ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ରୁ ତା’ର ଭାରତ ଗସ୍ତ ଆରମ୍ଭ କରିବାର ଥିଲା । ଫେବୃଆରୀ ୨୫ରେ ମୋହାଲିରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୫ରୁ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା । କିନ୍ତୁ ଶ୍ରୀଲଙ୍କା ଏବେ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ ଖେଳୁଛି । କରୋନା ପାଇଁ ଖେଳାଳି ପାଇଁ ବାୟୋ ବବଲ୍ସରେ ଅଛନ୍ତି । ତେଣୁ ଭ୍ରମଣକାରୀ ଟିମ୍‌ ବବଲ୍ସରେ ରହିଥିବା ଖେଳାଳିଙ୍କୁ ଟି-୨୦ ସିରିଜ୍‌ ଖେଳିବାକୁ ଭାରତ ପଠାଇବ । ଏହି କାରଣ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପ୍ରଥମେ ଟି-୨୦ ଓ ପରେ ଟେଷ୍ଟ ସିରିଜ୍‌ ଆୟୋଜନ କରିବାକୁ ଅନୁରୋଧ କରିଥିଲା । ଏହାକୁ ବିସିସିଆଇ ଗ୍ରହଣ କରିଛି । ମୋଟ ୪ଟି ସ୍ଥାନରେ ୩ ଟି-୨୦ ଓ ୨ଟି ଯାକ ଟେଷ୍ଟ ମ୍ୟାଚ୍‌ ଖେଳାଯିବ ।

Comments (0)
Add Comment