ନୂଆଦିଲ୍ଲୀ : ସେପ୍ଟେମ୍ବର ୨ ତାରିଖରୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ମୁମ୍ବାଇର ସୂର୍ଯ୍ୟକୁମାରଙ୍କୁ ଷଷ୍ଠ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ ଅନ୍ତର୍ଭୁକ୍ତ କରିବାକୁ ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକାର ଟିମ୍ ଇଣ୍ଡିଆକୁ ପରାମର୍ଶ ଦେଇଛନ୍ତି । ଭାରତ ତୃତୀୟ ଟେଷ୍ଟରେ ଇନିଂସ ଏବଂ ୭୬ ରନରେ ହରାଥିଲା କିନ୍ତୁ ଅଧିନାୟକ ବିରାଟ କୋହଲି କ୍ରମାଗତ ମଧ୍ୟମ ଅର୍ଡର ବିଫଳତା ସତ୍ତେ୍ୱପାଞ୍ଚଜଣ ବିଶେଷଜ୍ଞ ବୋଲର ଖେଳିବା ସପକ୍ଷରେ ଅଛନ୍ତି । ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଭେଙ୍ଗସରକାରର କହିଛନ୍ତି ଯେ, ଆମର ବ୍ୟାଟିଂ ଲାଇନ୍ ଅପ୍ ମଜବୁତ କରିବା ଆବଶ୍ୟକ । ହନୁମା ବିହାରୀଙ୍କ ପରିବର୍ତ୍ତେ ସୂର୍ଯ୍ୟକୁମାର ଯାଦବଙ୍କୁ ଷଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଖେଳାଇବା ଉଚିତ ।
ଆମେ ଜଣେ ବୋଲରଙ୍କୁ ବାହାର କରି ଷଷ୍ଠ ବ୍ୟାଟ୍ସମ୍ୟାନ୍ଙ୍କ ସହିତ ପଡିଆକୁ ଓହ୍ଲାଇବା ଉଚିତ୍ ବୋଲି କହିଛନ୍ତି । ସେହିପରି ଭାରତର ମହାନ ଖେଳାଳି ସୁନୀଲ ଗାଭାସ୍କର ମଧ୍ୟ ୬ଜଣ ବ୍ୟାଟ୍ସମ୍ୟାନ୍ଙ୍କ ସହ ଖେଳିବାକୁ ସମର୍ଥନ କରିଛନ୍ତି । ଭେଙ୍ଗସରକର କହିଛନ୍ତି ଯେ ସୂର୍ଯ୍ୟକୁମାରଙ୍କ ନିକଟରେ ପ୍ରତିଭା ଏବଂ ଆତ୍ମା ବିଶ୍ୱାସ ରହିଛି ଯାହା ପରବର୍ତ୍ତୀ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ପାଇଁ ଏକ ପରିବର୍ତ୍ତନ ଆଣିପାରେ । ସେ କହିଛନ୍ତି, ଦକ୍ଷତା ଦୃଷ୍ଟିରୁ ଏହି ଭାରତୀୟ ଦଳ ପାଇଁ ସୂର୍ଯ୍ୟ ଶ୍ରେଷ୍ଠ ଏବଂ ସେ କିଛି ସମୟ ଧରି ଦଳ ସହ ଅଛନ୍ତି । ବହୁତ ବିଳମ୍ବ ହେବା ପୂର୍ବରୁ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ପ୍ରଥମ ଶ୍ରେଣୀ କ୍ରିକେଟରେ ସୂର୍ଯ୍ୟକୁମାର ଯାଦବ ୧୪ ଟି ଶତକ ସହିତ ହାରାହାରି ୪୪ ରୁ ଅଧିକ ସ୍କୋର କରିଛନ୍ତି ।
ଏହା ବ୍ୟତୀତ ଚତୁର୍ଥ ଟେଷ୍ଟରେ ଅଜିଙ୍କ୍ୟ ରାହାଣେଙ୍କୁ ବାହାର କରାଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି । ରାହାନେ ବର୍ତ୍ତମାନ ସୁଦ୍ଧା ହାରାହାରି ୧୯ ରନ୍ କରି ୯୫ ରନ୍ ସଂଗ୍ରହ କରିଛନ୍ତି । ଏଥି ସହିତ ତୃତୀୟ ଟେଷ୍ଟରେ ପୂଜାରାଙ୍କ ୯୧ ରନର ଇନିଂସ ନିଶ୍ଚିତ ଭାବେ କିଛି ଆଶା ବଢାଇଛି । ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୨ ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପାଇଁ ଭାରତର ଅଧିନାୟକଙ୍କୁ ଏକାଦଶରେ କିଛି ପରିବର୍ତ୍ତନ ବିଷୟରେ ଅନେକ ଚିନ୍ତା କରିବାକୁ ପଡ଼ିବ । ସୂର୍ଯ୍ୟକୁମାର ଯାଦବ, ରିଦ୍ଧିମାନ ସାହା ଏବଂ ହନୁମା ବିହାରୀ ସୁଯୋଗ ଅପେକ୍ଷା କରିଛନ୍ତି ।ପନ୍ତଙ୍କ ପ୍ରଦର୍ଶନ ମଧ୍ୟ ବହୁତ ଖରାପ ହୋଇଛି । ଉଲ୍ଲେଖଥାଉ କି, ଅଧିନାୟକ କୋହଲିଙ୍କ ସମର୍ଥନ ପନ୍ତଙ୍କ ପାଖରେ ରହିଛି ।
ତୃତୀୟ ଟେଷ୍ଟରେ ଇଶାନ୍ତ ଶର୍ମା ପ୍ରଭାବହୀନ ରହିଛନ୍ତି । ଏଭଳି ପରିସ୍ଥିତିରେ ଅଶ୍ୱିନ ଚତୁର୍ଥ ଟେଷ୍ଟରେ ସୁଯୋଗ ପାଇପାରନ୍ତି ବୋଲି କୁହାଯଉଛି । ମଞ୍ଚେଷ୍ଟରର ପିଚ୍ରେ ସ୍ପିନରୁ ଫାଇଦା ମିଳିପାରେ । ଏଭଳି ପରିସ୍ଥିତିରେ ଚତୁର୍ଥ ଟେଷ୍ଟରେ ଅଶ୍ୱିନଙ୍କ ସ୍ଥାନ ପକ୍କା ଥିବା ଅନୁମାନ କରାଯାଉଛି । ଏହି ସିରିଜରେ ଭାରତ ଏବଂ ଇଂଲଣ୍ଡ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି । ତେଣୁ ଆସନ୍ତା ମ୍ୟାଚ ଜିତି ଉଭୟ ଦଳ ୨-୧ର ଅଗ୍ରଣୀ ହାସଲ କରିବାକୁ ନିହାତି ଚାହିଁବେ ।