ନୂଆଦିଲ୍ଲୀ :ଏସିଆ କପ୍ ୨୦୨୨ ପାଇଁ ବିସିସିଆଇ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରିଛି । ପିଠିରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ତାରକା ବୋଲର ଜସପ୍ରୀତ ବୁମ୍ରା ଟୁର୍ନାମେଣ୍ଟରୁ ବାଦ ପଡିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଛନ୍ତି । ସେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ । ଷ୍ଟାର ଓପନର୍ କେ.ଏଲ୍ ରାହୁଲ ମଧ୍ୟ ଫେବୃଆରୀରୁ ପ୍ରଥମ ଥର ପାଇଁ ଦଳରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ତାଙ୍କୁ ଆଗାମୀ ଟି -୨୦ ଟୁର୍ନାମେଣ୍ଟ ପାଇଁ ଦଳର ଉପ-ଅଧିନାୟକ କରାଯାଇଛି । ଫିଟନେସ୍ ସମସ୍ୟା ହେତୁ ସେ ଦଳ ବାହାରେ ଥିଲେ । ଏସିଆ କପ୍ ମ୍ୟାଚ୍ ଦୁବାଇ ଏବଂ ଶାରଜାଠାରେ ଖେଳାଯିବ ।
ଆହତ କାରଣରୁ ଆସନ୍ତା ଟୁର୍ନାମେଣ୍ଟରେ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ଚୟନ ପାଇଁ ଉପଲବ୍ଧ ନଥିବା ବିସିସିଆଇ ଟୁଇଟ୍ କରିଛି । ଏହି ଟୁର୍ନାମେଣ୍ଟ ପାଇଁ ତିନି ଖେଳାଳିଙ୍କୁ ବ୍ୟାକ୍ ଅପ୍ ଭାବରେ ରଖାଯାଇଛି । ଏହି ଖେଳାଳିମାନେ ହେଉଛନ୍ତି ଶ୍ରେୟସ୍ ଆୟର, ଦୀପକ ଚହର ଏବଂ ଅକ୍ଷର ପଟେଲ । ଏସିଆ କପ୍ ୨୦୨୨ ରେ ଭାରତକୁ ୨୮ ଅଗଷ୍ଟରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ ।
ଏସିଆ କପ୍ ପାଇଁ ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ୍, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଆଭେଷ ଖାନ, ଅର୍ଶଦୀପ ସିଂ