ବଦଳିଲା ଆଇପିଏଲ୍‌ ଫର୍ମାଟ୍‌ : ଜାଣନ୍ତୁ,କେମିତି ଖେଳାଯିବ ଏଥର ସଂସ୍କରଣ

ନୂଆଦିଲ୍ଲୀ: ଏଥରର ଆଇପିଏଲ୍‌ ସମ୍ପୂର୍ଣ୍ଣ ଅଲଗା ହେବ । ଏଥର ୧୦ଟି ଟିମ୍‌ ଭାଗ ନେବେ । ପୂର୍ବ ସଂସ୍କରଣରେ ୮ଟି ଭାଗ ନେଇଥିଲେ । କରୋନା କାରଣରୁ ଗତ ଦୁଇବର୍ଷ ଧରି ଲିଗର ସବୁଯାକ ମ୍ୟାଚ୍‌ ଭାରତରେ ଖେଳାଯାଇନଥିଲା । ହେଲେ ଏଥର ବିସିସିଆଇ ଲିଗକୁ ଭାରତରେ କରାଇବାକୁ ପୂରା ପ୍ରସ୍ତୁତି କରିଛି । ଏଥର ଆଇପିଏଲରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ । ସେଥିମଧ୍ୟରୁ ୭୦ଟି ଲିଗ୍‌ ପର୍ଯ୍ୟାୟ ସହ ୪ଟି ପ୍ଲେଅଫ୍‌ ମ୍ୟାଚ୍‌ ରହିଛି । ତେବେ ପ୍ରଥମଥର ଲାଗି ଆଇପିଏଲରେ ଟିମ ଗୁଡିକୁ ୨ଟି ଗ୍ରୁପରେ ଭାଗ କରାଯିବ । ସମସ୍ତ ୧୦ଟି ଯାକ ଟିମ୍‌ ୧୪ଟି ଲେଖାଏ ମ୍ୟାଚ୍‌ ଖେଳିବେ । ସେଥିମଧ୍ୟରୁ ପ୍ରତି ଟିମ୍‌ ଘରେ ୭ଟି ଓ ବାହାରେ ୭ଟି ମ୍ୟାଚ୍‌ ଖେଳିବେ । ଏହା ପ୍ରତି ଗ୍ରୁପର ଟିମ୍‌ ୫ଟି ଟିମ୍‌ ସହ ଦୁଇଟି ଲେଖାଏ ମ୍ୟାଚ୍‌ ଖେଳିବେ । ତେବେ ବାକି ୪ଟି ଟିମ୍‌ ସହ ଥରେ ଲେଖାଏ (୨ଟି ଘରେ ଏବଂ ୨ଟି ବାହାରେ) ଖେଳିବେ । ତେବେ ପ୍ଲେଅଫ୍‌ ଓ ଫାଇନାଲ୍‌ ଭେନ୍ୟୁ ବିସିସିଆଇ ପରେ ଘୋଷଣା କରିବ । ଚଳିତ ସଂସ୍କରଣରେ ମୁମ୍ବାଇରେ ମୋଟ ୫୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ସେଥିମଧ୍ୟରୁ ୱାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ୧୫ ଏବଂ ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ୨୦ଟି ମ୍ୟାଚ୍‌ ଖେଳାଯିବ । ସେହିପରି ପୁନେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୫ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରତି ଟିମ୍‌ ୱାଙ୍ଖଡେ ଓ ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ୪ଟି ଲେଖାଏ ମ୍ୟାଚ୍‌ ଖେଳିବେ । ସେହିପରି ପ୍ରତି ଟିମ୍‌ ବ୍ରାବୋର୍ଣ୍ଣ ଓ ଏମସିଏରେ ୩ଟି ଲେଖାଏ ମ୍ୟାଚ୍‌ ଖେଳିବେ । ୨୦୧୧ ସଂସ୍କରଣ ଭଳି ଏଥର ୧୦ଟି ଟିମକୁ ୨ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୫ଟି ଲେଖାଏ ଟିମ୍‌ ରହିବେ । ଗ୍ରୁପ୍‌-ଏ’ରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍‌ନୌ ସୁପର୍‌ ଜାଏଣ୍ଟସକୁ ରଖାଯାଇଛି । ସେହିପରି ଗ୍ରୁପ୍‌-ବି’ରେ ଚେନ୍ନାଇ ସୁପର୍‌ କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପଞ୍ଜାବ କିଙ୍ଗସ୍‌ ଓ ଗୁଜରାଟ ଟାଇଟ୍ସକୁ ସ୍ଥାନ ମିଳିଛି ।

Comments (0)
Add Comment