ଆସନ୍ତାକାଲି ଠାରୁ ଆଇପିଏଲ ଟିକେଟ୍‌ ବିକ୍ରି

ମୁମ୍ବାଇ, ୨୨/୩: ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର ଚାରି ଦିନ ବାକି ଥିବା ବେଳେ ତାହାକୁ ନେଇ ଉକ୍ରଣ୍ଠା ବଢୁଛି । ବିଶେଷ କରି,ଏହାର ଟିକେଟ ବ୍ୟବସ୍ଥାକୁ ନେଇ ସମସ୍ତେ ଉକ୍ରଣ୍ଠିତ ଥିବା ବେଳେ ଏବେ ଜାରି ହୋଇଛି ଆଦେଶ । ଆଇପିଏଲ ୨୦୨୨ ପାଇଁ ଟିକେଟ୍‌ ବିକ୍ରି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ଦର୍ଶକଙ୍କୁ ଅନଲାଇନ୍‌ରେ ଟିକେଟ୍‌ କିଣିବାକୁ ପଡିବ । ବିସିସିଆଇର ଜଣେ ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି । ସାଧାରଣତଃ ଆଇପିଏଲ୍‌ ପାଇଁ ଟିକେଟ୍‌ ବିକ୍ରି ମାର୍ଚ୍ଚ ୧ରୁ ଅତି କମରେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ । ମାତ୍ର ଏଥର ଷ୍ଟାଡିୟମର ଦର୍ଶକ କ୍ଷମତାକୁ ନେଇ କେତେ ଜଣଙ୍କୁ ଅନୁମତି ଦିଆଯିବ ସେହି କାରଣରୁ ଟିକେଟ୍‌ ବିକ୍ରିରେ ବିଳମ୍ବ ଘଟିଛି । ସମସ୍ତ ସ୍ଥାନ ଏବଂ ମ୍ୟାଚ୍‌ ପାଇଁ ଟିକେଟ୍‌ ବିକ୍ରି ମାର୍ଚ୍ଚ ୨୩ରୁ ଆରମ୍ଭ ହେବ । ମହାରାଷ୍ଟ୍ର ସରକାର ଷ୍ଟାଡିୟମର ଏକ ଚତୁର୍ଥାଂଶ ଆସନ ପାଇଁ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି । ମାତ୍ର ବିସିସିଆଇ ଆଶା କରୁଛି ଯେ, ଲିଗ୍‌ ବଢିବା ସହିତ ଅଧିକ ୪୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିଯିବ । ବିସିସିଆଇର ଜଣେ ଅଧିକାରୀ ସୋମବାର କହିଛନ୍ତି, କେତେ ଜଣ ଦର୍ଶକଙ୍କୁ ଅନୁମତି ମିଳିବ ତାହା ଆମ ବୁଝିବା ବାହାରେ ରହିଛି । ତେବେ ଆଶା କରୁଛୁ ଲିଗ୍‌ ଆଗକୁ ବଢିବା ସହିତ ଦର୍ଶକଙ୍କ ସଂଖ୍ୟା ଅଧିକ ବଢିବ । ପ୍ରାରମ୍ଭିକ ଅନୁମାନ ଅନୁସାରେ, ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୯୮୦୦ରୁ ୧୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ । ସେହିପରି, ୨୮ ହଜାର କ୍ଷମତା ବିଶିଷ୍ଟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସାତରୁ ଆଠ ହଜାର ଦର୍ଶକ, ଡିୱାଇ ପାଟିଲ ଷ୍ଟାଡିୟମରେ ୧୧ରୁ ୧୨ ହଜାର ଦର୍ଶକ ଏବଂ ପୁଣେର ମହାରାଷ୍ଟ୍ର କିକେଟ୍‌ ଷ୍ଟାଡିୟମରେ ୧୨ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ । ଲିଗ୍‌ର ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ରେ ଖେଳାଯିବ ।

Comments (0)
Add Comment