ଆଜି ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ

ଅହମଦାବାଦ: ଦଶ ଦଳକୁ ନେଇ ୭୪ ଦିନର ଯାତ୍ରା ଏବେ ଦୁଇଟି ଦଳକୁ କମି ଆସିଛି। ୭୪ତମ ମ୍ୟାଚ୍‌ ସହ ମଙ୍ଗଳବାର ଶେଷ ହେବାକୁ ଯାଉଛି ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ। ଏହି ଦୁଇ ଦଶନ୍ଧିରେ ଯେଉଁ ଦୁଇଟି ଦଳ ନିଜ ଟ୍ରଫି ସ୍ବପ୍ନକୁ ସାକାର କରିପାରିନାହାନ୍ତି ସେମାନେ ଏବେ ଅବତୀର୍ଣ୍ଣ ଅଛନ୍ତି ଟାଇଟଲ୍ ଟକ୍କରରେ। ଗୋଟିଏ ରୟାଲ୍ (ଆର୍‌ସିବି) ଏବଂ ଅନ୍ୟଟି କିଙ୍ଗ୍ସ (ପଞ୍ଜାବ କିଙ୍ଗ୍ସ), କିନ୍ତୁ କେବେ ରାଜ କରିପାରିନାହାନ୍ତି ଟ୍ରଫି ଉପରେ। ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ମଙ୍ଗଳବାରର ଏହି ଫାଇନାଲ୍ ମ୍ୟାଚ୍‌କୁ ଅଧୁରା ସ୍ବପ୍ନର ମଧୁର ଲଢ଼େଇ କହିହେବ। ୬ ମାସ ତଳେ ଯେଉଁ ଦୁଇ ଅଧିନାୟକ ଘରୋଇ କ୍ରିକେଟର୍ ପ୍ରମୁଖ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ ଅବତୀର୍ଣ୍ଣ ହୋଇଥିଲେ ଏବେ ସେହି ଦୁଇ ଜଣ ହିଁ ସମାନ ଭୂମିକାରେ ରହିଛନ୍ତି। ପ୍ରତିଯୋଗିତା କେବଳ ଭିନ୍ନ ରହିଛି। ଏଥର ମହାମଞ୍ଚ ଆଇପିଏଲ୍‌ ଅପେକ୍ଷା କରିଛି ନୂଆ ବିଜେତାକୁ ପାଇବାକୁ। ମୁସ୍ତାକ ଅଲୀ ଟ୍ରଫିରେ ଶ୍ରେୟସ ଆୟରଙ୍କ ଦଳ ମୁମ୍ବାଇ ୫ ୱିକେଟ୍‌ରେ ରଜତ ପଟିଦାରଙ୍କ ମଧ୍ୟପ୍ରଦେଶ ଦଳକୁ ହରାଇଥିଲା। ଆଇପିଏଲ୍‌ରେ ନିଜ ନିଜ ଫ୍ରାଞ୍ଚାଇଜ୍‌ର ପ୍ରଥମ ନେତୃତ୍ବରେ କିନ୍ତୁ ଫାଇନାଲ୍ ଖେଳିବାକୁ ଯାଉଛନ୍ତି ଏହି ଦୁଇ ଭାରତୀୟ ତାରକା। ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ସୋମବାର ମିଳିତ ସାମ୍ବାଦିକ ସମ୍ମିଳନୀରେ ବି ଉଭୟ ସ୍ବୀକାର କରିଛନ୍ତି ଏହାର ଚାପ ଓ ଆହ୍ବାନକୁ ନେଇ। ଚାପ ପରିସ୍ଥିତିକୁ ଭଲ ପାଏ, ଖେଳାଳିଙ୍କଠାରୁ ଏହା ଶ୍ରେଷ୍ଠ ବାହାର କରିବାର ମଉକା ବି ଦିଏ ବୋଲି ଆୟର କହିଛନ୍ତି।

Comments (0)
Add Comment