ଆଇପିଏଲରୁ ବାଦ୍ ପଡିଲେ ବଂଶ ବେଦୀ, ବଦଳ ଖେଳାଳିଙ୍କ ନାମ ଘୋଷଣା କଲା ସିଏସକେ

ଚେନ୍ନାଇ : ଆଇପିଏଲ ଟିମ୍ ଚେନ୍ନାଇ ସୁପରକିଙ୍ଗ୍‌ସକୁ ଆଉ ଏକ ଝଟକା । ପୁଣି ଜଣେ ଖେଳାଳି ଆହତ ହେଲେ । ଖେଳାଳି ଜଣକ ହେଲେ ୱିକେଟକିପର ବ୍ୟାଟସମ୍ୟାନ ବଂଶ ବେଦୀ । ତାଙ୍କ ବଦଳ ଖେଳାଳି ଭାବେ ସିଏସକେ ଉର୍ଭିଲ ପଟେଲଙ୍କୁ ଦଳରେ ସାମିଲ କରିଛି । ସେ ମଧ୍ୟ ଜଣେ ୱିକେଟକିପର ବ୍ୟାଟସମ୍ୟାନ । ସେ ଘରୋଇ କ୍ରିକେଟରେ ଗୁଜରାଟ ପାଇଁ ଖେଳନ୍ତି । ଉର୍ଭିଲ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଗତ ବର୍ଷ, ସୟଦ ମୁସ୍ତାକ ଅଲି ଟ୍ରଫିରେ, ସେ ତ୍ରିପୁରା ବିପକ୍ଷରେ ମାତ୍ର ୨୮ ବଲ୍‌ରେ ଶତକ ହାସଲ କରିଥିଲେ । ଏହା ଟି-୨୦ରେ କୌଣସି ଭାରତୀୟ ବ୍ୟାଟସମ୍ୟାନଙ୍କ ଦ୍ୱାରା ଦ୍ରୁତତମ ଶତକ । ସେ ଆଇପିଏଲରେ ଗୁଜରାଟ ଟାଇଟାନ୍ସ ଦଳର ମଧ୍ୟ ଅଂଶ ଥିଲେ ।
ଟି-୨୦ରେ ଟପ୍ ଅର୍ଡରରେ ବ୍ୟାଟିଂ କରିବାର ଏକ ଦୃଢ଼ ରେକର୍ଡ ଉର୍ଭିଲ ପଟେଲଙ୍କର ଅଛି । ସେ ୪୭ ଟି-୨୦ ମ୍ୟାଚରେ ୧୧୬୨ ରନ୍ ସରିଛନ୍ତି । ସେ ୧୭୦ ଷ୍ଟ୍ରାଇକ୍ ରେଟ୍ ରେ ଏହି ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ ରୁ ୨ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ଆସିଛି । ଉର୍ଭିଲଙ୍କ ସବୁଠାରୁ ବଡ଼ ଇନିଂସ ହେଉଛି ୧୧୫ ରନର ଅପରାଜିତ ଇନିଂସ । ତାଙ୍କର ୨୨ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ୭୪୮ ରନ୍ କରିଛନ୍ତି । ଏଥିରେ ତାଙ୍କର ହାରାହାରି ୪୪ ଏବଂ ଷ୍ଟ୍ରାଇକ୍ ରେଟ୍ ୧୨୧ । ଗୁଜରାଟ ପୂର୍ବରୁ ସେ ଘରୋଇ କ୍ରିକେଟରେ ବରୋଦା ପାଇଁ ଖେଳୁଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପାଞ୍ଚ ଥର ଚାମ୍ପିଅନ୍ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲର ୧୮ତମ ସିଜିନ୍ ଭଲ ରହିନାହିଁ । ଦଳ କ୍ରମାଗତ ଭାବରେ ତା\’ର ମ୍ୟାଚ୍ ହାରୁଛି ଏବଂ ଦଳର ଅନେକ ଖେଳାଳି ମଧ୍ୟ ଆଘାତ ଯୋଗୁଁ ସିଜିନ୍ ରୁ ବାହାରେ ଅଛନ୍ତି । ପ୍ରଥମେ ଅଧିନାୟକ ଋତୁରାଜ ଗାୟକୱାଡ, ତା’ପରେ ଯୁବ ବୋଲର ଗୁରଜପନୀତ ସିଂହ ଆହତ ହୋଇ ଆଇପିଏଲରୁ ବିଦାୟ ନେଇସାରିଛନ୍ତି ।

Comments (0)
Add Comment