କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର,ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ !

କଟକ : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଏକ ସ୍ଥାୟୀ ଆୟୋଜକ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ଆଇପିଏଲ୍‌ରେ ଆଉ ୨ଟି ନୂଆ ଦଳ ସାମିଲ ହେବେ। ଫଳରେ ବର୍ତ୍ତମାନ ଖେଳୁଥିବା ୮ଟି ଦଳ ବଦଳରେ ୧୦ଟି ଦଳ ଆଇପିଏଲ୍‌ ଖେଳିବେ। ଏଥିପାଇଁ ବିସିସିଆଇ କସରତ ଆରମ୍ଭ କରିଦେଇଛି। ନିକଟରେ ବିସିସିଆଇ ପକ୍ଷରୁ ଏକ ସର୍ଭେ କରା ଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ଦକ୍ଷିଣାଞ୍ଚଳ ଅପେକ୍ଷା ହିନ୍ଦୀ ଭାଷାଭାଷୀ ଏବଂ ପୂର୍ବାଞ୍ଚଳରେ ଆଇପିଏଲ୍‌ ଅଧିକ ଲୋକପ୍ରିୟ। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ୨ଟି ନୂଆ ଦଳ ପାଇଁ ୬ଟି ସହରକୁ ସମ୍ଭାବ୍ୟ ତାଲିକାରେ ରଖିଛି। ଏହି ୬ଟି ସହର ହେଲେ ଓଡ଼ିଶାର କଟକ, ଆସାମର ଗୁଆହାଟୀ, ଝାଡ଼ଖଣ୍ଡର ରାଞ୍ଚି, ଉତ୍ତର ପ୍ରଦେଶର ଲକ୍ଷ୍ନୌ, ହିମାଚଳ ପ୍ରଦେଶର ଧର୍ମଶାଳା ଓ ଗୁଜରାଟର ଅହମ୍ମଦାବାଦ। ଦକ୍ଷିଣ ଭାରତର କୌଣସି ସହର ଏହି ତାଲିକାରେ ନାହାନ୍ତି। ଆଇପିଏଲ୍‌ ଆୟୋଜନର ସମ୍ଭାବ୍ୟ ୬ଟି ସହର ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ୍‌କୁ ବିସିସିଆଇ ରଖିଥିବାରୁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟିହୋଇଛି। ୨୦୨୨ ଏପ୍ରିଲ-ମେ’ରେ ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ ଓଡ଼ିଶାର କ୍ରିକେଟ୍‌ପ୍ରେମୀ ଦେଖିପାରିବେ ବୋଲି ଓସିଏର ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି। କଟକକୁ ଏହି ତାଲିକାରେ ସାମିଲ କରିଥିବାରୁ ସଞ୍ଜୟ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା ଏବଂ ଆଇପିଏଲ୍‌ ପରିଚାଳନା ପରିଷଦର ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପୁଣି ଆଇପିଏଲ୍‌ ପରିଚାଳନା ପରିଷଦରେ ସଦସ୍ୟ ଭାବେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା ରହିଥିବାରୁ ତାଙ୍କୁ ମଧ୍ୟ ସଞ୍ଜୟ ଧନ୍ୟବାଦ ଜଣାଇଛନ୍ତି। ସଞ୍ଜୟ କହିଛନ୍ତି, ଆଇପିଏଲ୍‌ ଏବଂ ଅନ୍ୟ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନ ପାଇଁ ଓସିଏ ସର୍ବଦା ପ୍ରସ୍ତୁତ ରହିଥାଏ। ଏଥର ମଧ୍ୟ ଆମେ ପ୍ରସ୍ତୁତ। ପୂର୍ବରୁ ବାରବାଟୀରେ ୭ଟି ଆଇପିଏଲ୍‌ ମ୍ୟାଚ୍ ସଫଳତାର ସହ ଶେଷହୋଇଛି ଏବଂ ଓଡ଼ିଶାର କ୍ରିକେଟପ୍ରେମୀ ଏହାର ଭରପୂର ମଜା ଉଠାଇଛନ୍ତି। ବାରବାଟୀ କେବଳ ଆଇପିଏଲ୍‌ ଆୟୋଜକ ତାଲିକାରେ ସାମିଲ ହୋଇଛି; ତାହା ନୁହେଁ। ଖୁବ୍ ଶୀଘ୍ର ବାରବାଟୀ ଷ୍ଟାଡିୟମ୍‌ରେ ଟେଷ୍ଟମ୍ୟାଚ୍‌ ମଧ୍ୟ ଖେଳାଯିବ ବୋଲି ବିସିସିଆଇ ଆମକୁ ପ୍ରତିଶ୍ରୁତି ଦେଇଛି। ଆମେ ସମସ୍ତ ମ୍ୟାଚ୍‌କୁ ସୁଚାରୁରୂପେ ସମ୍ପନ୍ନ କରିବାକୁ ପ୍ରସ୍ତୁତ ରହିଛୁ।

Comments (0)
Add Comment