ଏହିଭଳିଭାବେ ବିସିସିଆଇକୁ ସଙ୍କଟରୁ ଉଦ୍ଧାର କରିଥଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ୱାଇ ,୬/୨: ଗାୟିକା ଲତା ମଙ୍ଗେସକରଙ୍କ ଜୀବନ ଥିଲା ପ୍ରଶସ୍ତ । କେବଳ ଗୀତ ଗାଇବା ଭିତରେ ସେ ନିଜକୁ ସୀମିତ ରଖି ନଥିଲେ,ସାମାଜିକ ଓ ମାନବିକତା ଧର୍ମୀ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଥିଲେ । ଏହାର ଅନ୍ୟତମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ୧୯୮୩ ମସିହାରେ । ତାଙ୍କର ଏକ ମହାନ କାର୍ଯ୍ୟ ପାଇଁ ବିସିସିଆଇ ବହୁମାତ୍ରାରେ ଉପକୃତ ହୋଇଥିଲା । ୧୯୮୩ କ୍ରିକେଟ ବିଶ୍ୱକପ ଜିତିବା ପରେ ଲତା ଦିଦି ହିଁ ବିସିସିଆଇକୁ ସଂକଟରୁ ଉଦ୍ଧାର କରିଥିଲେ । କପିଲ ଦେବଙ୍କ ନେତୃତ୍ୱଧୀନ ଭାରତୀୟ କ୍ରିକେଟ ଟିମ ଲଡର୍ସରେ ଚାମ୍ପିୟନ ହୋଇଥିଲା । ସେହି ସମୟରେ ବିସିସିଆଇର ତତ୍କାଳୀନ ଅଧ୍ୟକ୍ଷ ତଥା ଇନ୍ଦିରା ଗାନ୍ଧୀ ସରକାରରେ ମନ୍ତ୍ରୀ ଦିବଗନ୍ତ ଏନକେପି ସାଲଭେ ଖେଳାଳିଙ୍କୁ ସମ୍ମାନିତ କରିବା ଏବଂ ବିଜୟ ଉତ୍ସବ କିପରି ପାଳନ କରିବେ, ତାକୁ ନେଇ ଚିନ୍ତିତ ଥିଲେ । ଏହାର ସମାଧାନ ପାଇଁ ସାଲଭେ ରାଜସିଂହ ଡୁଙ୍ଗରପୁରଙ୍କ ଆଲୋଚନା କରିଥିଲେ । ସେ ନିଜର ବନ୍ଧୁ ଏବଂ କ୍ରିକେଟର ପ୍ରଶଂସକ ଲତା ମଙ୍ଗେସକରଙ୍କୁ ଜବାହରଲାଲ ନେହରୁ ଷ୍ଟାଡିୟମରେ ଏକ କନସର୍ଟ ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ପରେ ଲତା ଦିଦି ଷ୍ଟାଡିୟମରେ ୨ ଘଣ୍ଟାର କାର୍ଯ୍ୟକ୍ରମ କରିଥିଲେ । ବିସିସିଆଇ ଏହି କାର୍ଯ୍ୟକ୍ରମରୁ ମୋଟା ରାଶି ଏକାଠି କରିବାରେ ସଫଳ ହୋଇଥିଲା । ସେହି ଟଙ୍କାରୁ ସମସ୍ତ ଖେଳାଳିଙ୍କୁ ଏକ ଏକ ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଦିଆଯାଇଥିଲା । ବିସିସିଆଇ ଲତା ଦିଦିଙ୍କ ଅବଦାନ ପାଇଁ ଭାରତର ପ୍ରତି ଷ୍ଟାଡିୟମରେ ଅନ୍ତଃରଷ୍ଟ୍ରୀୟ ମ୍ୟାଚରେ ଦୁଇଟି ଭିଆଇପି ପାସ୍‌ ତାଙ୍କ ପାଇଁ ରଖୁଥିଲା ।

Comments (0)
Add Comment