ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରୀଡ଼ାପ୍ରେମୀମାନେ ଖୁସି ହେଲାଭଳି ଦିନଟିଏ । ଭାରତକୁ ଗର୍ବିତ କଲାଭଳି ଉପଲବ୍ଧି ହାସଲ କରିଛନ୍ତି ଆଗଧାଡ଼ି ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ । ଆଜି ଅନୁଷ୍ଠିତ ଫାଇନାଲରେ ଲକ୍ଷ୍ୟ ସେନ୍ ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ୍ ଲୋ କିନ୍ ୟୁଙ୍କୁ ହରାଇ ଇଣ୍ଡିଆ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି । ଏଥିସହ ୨୦ ବର୍ଷୀୟ ଏହି ଭାରତୀୟ ଶଟଲର ସୁପର-୫୦୦ ପ୍ରତିଯୋଗିତାର ନିଜର ପ୍ରଥମ ଟ୍ରଫି ଜିତି ଇତିହାସ ରଚିଛନ୍ତି । ଗତ ମାସରେ ସ୍ପେନରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଲକ୍ଷ୍ୟ ରବିବାର ଖେଳାଯାଇଥିବା ଫାଇନାଲରେ ସିଙ୍ଗାପୁରର କିନ୍ ୟୁଙ୍କୁ ସିଧାସଳଖ ୨୪-୨୨, ୨୧-୧୭ ଗେମରେ ହରାଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟ ଚାରିଥର ମୁକାବିଲା ହୋଇଥିଲା । ଯେଉଁଥିରୁ ଲକ୍ଷ୍ୟ ଦୁଇଟି ମ୍ୟାଚ୍ ଜିତିଥିଲେ । ଗତବର୍ଷ ଡଚ୍ ଓପନ୍ ଫାଇନାଲରେ ପଞ୍ଚମ ସିଡ୍ କିନ୍ ୟୁ ବାଜି ମାରି ନେଇଥିଲେ । ତେବେ ଡଚ୍ ଓପନ୍ ପରାଜୟରୁ ଶିକ୍ଷା ନେଇ ଲକ୍ଷ୍ୟ ଚଳିତ ଇଣ୍ଡିଆ ଓପନରେ କିଛି ଭୁଲ୍ କରିନଥିଲେ ଏବଂ ଦମଦାର ପ୍ରଦର୍ଶନ କରି ଟାଇଟଲ୍ ନିଜ ନାଁରେ କରିଥିଲେ । ସେ ଫାଇନାଲ୍ ମୁକାବିଲାକୁ ୫୪ ମିନିଟରେ ଜିତି ନେଇଥିଲେ । ଲକ୍ଷ୍ୟଙ୍କ ପୂର୍ବରୁ ରବିବାର ଭାରତୀୟ ଯୋଡି ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଟାଇଟଲ୍ ଜିତିଥିଲେ । ଫାଇନାଲ୍ ଏହି ଭାରତୀୟ ଯୋଡି ଇଣ୍ଡୋନେସିଆର ଟପ୍ ସିଡ୍ ମହମ୍ମଦ ଏହସାନ୍ ଓ ହେଣ୍ଡ୍ରା ସେଟିଆୱାନଙ୍କୁ ୨୧-୧୬, ୨୬-୨୪ ଗେମରେ ହରାଇଥିଲେ । ଶନିବାର ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡି ସେମିଫାଇନାଲରେ ଫ୍ରେଞ୍ଚ୍ ଯୋଡିଦାର ଫାବିଏନ୍ ଡେଲରୁ ଓ ୱିଲିୟମ୍ ଭିଲେଜରଙ୍କୁ ୨୧-୧୦, ୨୧-୧୮ରେ ପରାସ୍ତ କରିଥିଲେ ।