୧୩ ଥର ଚାମ୍ପିଅନ : କିନ୍ତୁ ନା ପୁରସ୍କାର ନା ଚାକିରି,ବାରମ୍ବାର ବିଶ୍ୱାସଘାତକତାର ଶିକାର ଚେସ୍‌ ରାଣୀ ମଳ୍ଲିକା

ଅମୃତସର : ଦିବ୍ୟାଙ୍ଗ…କିନ୍ତୁ ମନରେ ଅସୀମ ଶକ୍ତି,ଉତ୍ସାହ,ଉଦ୍ଦୀପନା ଓ ଅସରନ୍ତି ସ୍ୱପ୍ନ । ଭାଙ୍ଗିପଡ଼ିବା ନୁହେଁ,ଦୃଢ ସଂକଳ୍ପ ଓ ଦୁର୍ବାର ଅଭିଳାଷ ସହ ଆଗେଇଯିବାର ଉଦ୍ଦାମତା । ଏଭଳି ଶକ୍ତି,ସାମର୍ଥ୍ୟ ଓ ଉଚ୍ଚାକାଂକ୍ଷାର ଅଧିକାରୀ ହେଉଛନ୍ତି ପଞ୍ଜାବର ସୁନାମଧନ୍ୟ କନ୍ୟା ମଲ୍ଲିକା ହାଣ୍ଡା । ପିଲାଦିନୁ ଖେଳ ପ୍ରତି ତାଙ୍କର ଝୁଙ୍କ ରହିଥିଲା । ପ୍ରଥମେ ବ୍ୟାଡମିଣ୍ଟନ,ପରେ ଚେସ୍‌ । ଚେସ୍‌ରେ ମନ ଏମିତି ଲାଗିଗଲା ଯେ ଆଉ ପଛକୁ ଚାହିଁ ନଥିଲେ । ଚାହୁଁ ଚାହୁଁ ଚେସ୍‌ରେ ଗୋଟିଏ ପରେ ଗୋଟିଏ ସଫଳତା ତଥା ପଦକ ଅର୍ଜନ କରିଚାଲିଲେ । ୨୦୦୦ ମସିହା ବେଳକୁ ସଫଳତାର ଶିଖରରେ ପହଞ୍ଚିଗଲେ । ଗୋଟିଏ କି ଦୁଇଟି ନୁହେଁ,ଚେସ୍‌ରେ ୬ ଥର ଅନ୍ତର୍ଜାତୀୟ ଓ କ୍ରମାଗତଭାବେ ୭ ଥର ଜାତୀୟ ଚାମ୍ପିଅନ ହୋଇ ସ୍ୱର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ଏହି ଦିବ୍ୟାଙ୍ଗ ମହିଳା ଖେଳାଳି । ଯେଉଁମାନେ ଦେଶ ପାଇଁ ପଦକ ଜିତୁଛନ୍ତି,ସେମାନଙ୍କୁ ସରକାର ଆର୍ଥିକ ପୁରସ୍କାର ଦେବା ସହ ସରକାରି ଚାକିରି ମଧ୍ୟ ଦେଉଛନ୍ତି । ଏନେଇ ନିର୍ଦ୍ଦିଷ୍ଟ ସରକାରୀ ନୀତି ମଧ୍ୟ ରହିଛି । କିନ୍ତୁ ମଲ୍ଲିକା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚକୋଟୀର ପ୍ରଦର୍ଶନ ସହ ଅନେକ ମେଡାଲ ଜିତି ରାଜ୍ୟ ଓ ଦେଶର ଟେକ ରଖିଥଲେ ମଧ୍ୟ ତାଙ୍କୁ ନା ଅର୍ଥ ନା ଚାକିରି, କିଛି ବି ମିଳିନାହିଁ । ରାଜ୍ୟ ସରକାର ବାରମ୍ବାର ତାଙ୍କ ସହ ବିଶ୍ୱାସଘାତକତା କରିଚାଲିଛନ୍ତି । ୨୦୧୨ ରେ ଜାମ୍ମୁ କାଶ୍ମୀରରେ ବଧିର ବର୍ଗର ଜାତୀୟ ଚେସ୍‌ ଚାମ୍ପିଅନ୍‌ସିପରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ୨୦୧୫ରେ ମଙ୍ଗୋଲିଆ ଚେସ୍‌ ଚାମ୍ପିଅନସିପ୍ସ ଏବଂ ୨୦୧୬ରେ ଆର୍ମେନିଆରେ ହୋଇଥିବା ବିଶ୍ୱ ବଧିର ଚେସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ଅନ୍ତର୍ଜାତୀୟ ସ୍ତରରେ ଚାରିଟି ରୌପ୍ୟ ପଦକ ମଧ୍ୟ ଜିତିଛନ୍ତି । ଏହାପରେ ସେ ପଞ୍ଜାବ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ରାଣା ଗୁରୁମିତ ସିଂ ସୋଡିଙ୍କୁ ଭେଟିଥିଲେ । ସେ ତାଙ୍କର ପଦକ ଏବଂ ପ୍ରମାଣପତ୍ର ଦେଖି ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ସେ ସ୍ନାତକ କରନ୍ତି, ତେବେ ତାଙ୍କୁ ‘ଏ’ ଗ୍ରେଡ୍‌ ଚାକିରି ନିଶ୍ଚୟ ଦିଆଯିବ । ଏହି ପ୍ରତିଶ୍ରୁତି ସେ ପାରାଲିମ୍ପିକ୍‌ ଗେମ୍ସରେ ଭାଗନେବାକୁ ଚାଲିଯାଇଥିଲେ । ସେଠାରେ ମଧ୍ୟ ପଦକ ଜିତିଥିଲେ । ସ୍ନାତକୋତ୍ତର ସମାପ୍ତ କରିବା ପରେ ସେ ପୁନର୍ବାର କ୍ରୀଡ଼ାମନ୍ତ୍ରୀଙ୍କ ନିକଟକୁ ଯାଇ ତାଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇଲେ । ଏହାପରେ ସେ କ୍ରୀଡା ନିର୍ଦ୍ଦେଶକଙ୍କଠାରୁ ଏକ କଲ୍‌ ପାଇଲେ । ସେ ଦିବ୍ୟାଙ୍ଗ ପ୍ରମାଣପତ୍ର ଓ ପଦକ ସାର୍ଟିଫିକେଟ ସହ ଖୁସିରେ କ୍ରୀଡା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ନିର୍ଦ୍ଦେଶ ତାଙ୍କୁ ଯାହା କହିଲେ,ତାହା ତାଙ୍କୁ ହତବାକ ଓ ନିରାଶ କରିଥିଲା । ସବୁ ଫାଇଲ୍‌ ଦେଖିବା ପରେ ଅଧିକାରୀ କହିଥିଲେ ଯେ ଆପଣଙ୍କର ସାର୍ଟିଫିକେଟ୍‌ ବଧିର ଏବଂ ମୂକ ସଂପର୍କିତ ଏବଂ ଏହା ଅଧାରରେ ଚାକିରି ଦେବାର କୌଣସି ନୀତି ଆମର ନାହିଁ । ଏ ଘଟଣା ପରେ ମଲ୍ଲିକା ସବୁକଥା ସୋସିଆଲ ମଡିଆରେ ଛାଡ଼ିଥିଲେ,ଯାହା ଏବେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ସରକାରଙ୍କୁ ଏବେ ଟାର୍ଗେଟ କରିଛନ୍ତି । ମଳ୍ଲିକା ସୋସିଆଲ ମିଡିଆକୁ ଯିବା ପରେ ପଞ୍ଜାବ ସରକାର ସିଏମ ରିଲିଫ ପାଣ୍ଠିରୁ ୨୧ ଲକ୍ଷ ଟଙ୍କା ଏବଂ କୋଚ ଚାକିରି ଘୋଷଣା କରିଛନ୍ତି । ତେବେ ମଲ୍ଲିକା କହିଛନ୍ତି,ପୁରସ୍କାର ରାଶି ମୋ ଆକାଉଣ୍ଟକୁ ନଆସିବା ପର୍ଯ୍ୟନ୍ତ ଏବଂ ଚାକିରି ନମିଳିବା ପର୍ଯ୍ୟନ୍ତ ମୁଁ ସରକାରଙ୍କ ଏହି ଘୋଷଣାକୁ ବିଶ୍ୱାସ କରିପାରିବି ନାହିଁ ।

Comments (0)
Add Comment