କାନପୁର : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚ୍ ପାଇଁ ରଣନୀତି ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ ନଭେମ୍ବର ୨୫ ରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାରତୀୟ ଓପନର୍ ଶୁବମାନ ଗିଲଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ଆଣିବାକୁ ଦଳ ପରିଚାଳନା ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ଏହି ପୁରା ସିରିଜରେ ଦଳ ସହିତ ରହିବେ ନାହିଁ । ସେହିପରି ନିୟମିତ ଅଧିନାୟକ ବିରାଟ କୋହଲି ମୁମ୍ବାଇ ଟେଷ୍ଟରୁ ଦଳରେ ଯୋଗଦେବେ ।
ଓପନିଂରେ ବ୍ୟାଟିଂ ପାଇଁ କେଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ନାମ ଫାଇନାଲ ଭାବେ ବିବେଚନା କରାଯାଉଛି । ଖବର ମୁତାବକ, ଟିମ୍ ମ୍ୟାନେଜମେଣ୍ଟ ଭାବିଛି ଯେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ମଧ୍ୟମ ଓଭରରେ ଜଣେ ବ୍ୟାଟ୍ସମ୍ୟାନ୍ ରହିବା ଉଚିତ୍ ଯିଏ ବିରୋଧୀ ଦଳର ବୋଲରଙ୍କ ଉପରେ ଚାପ ପକାଇପାରୁଥିବ । ଦଳ ମ୍ୟାନେଜମ୍ୟାଣ୍ଟ ଚାହୁଁଛି ଯେ, ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏମିତି ଜଣେ ବ୍ୟାଟ୍ସମ୍ୟାନଙ୍କୁ ମିଡିଲ ଅର୍ଡର ଖେଳାଯିବ, ଯିଏ ଦ୍ୱିତୀୟ ନୂଆ ବଲ ସହ ଭଲ ଖେଳି ବିରୋଧୀଙ୍କୁ ଆକ୍ରମଣ କରିପରୁଥିବ । ଶୁଭମାନ ଗିଲଙ୍କ ଠାରେ ସେହି ଶକ୍ତି ଅଛି ବୋଲି ଦଳପରିଚାଳନା ଭାବୁଛି । ତେଣୁ ତାଙ୍କୁ ଏହି ସ୍ଥାନରେ ଭାରତ ଖେଳାଇପାରେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଂଲଣ୍ଡ ଗସ୍ତ ଆରମ୍ଭରେ ଶୁଭମାନ ଗିଲ ଆହତ କାରଣରୁ ଭାରତକୁ ଫେରିଥିବାବେଳେ ମୟଙ୍କ ଅଗ୍ରୱାଲ ସେଠାରେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇ ନଥିଲେ । ଏହି ସିରିଜରେ ରୋହିତ ଶର୍ମା ଗୋଟିଏ ବି ମ୍ୟାଚ୍ ଖେଳୁ ନାହାଁନ୍ତି, ତେଣୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିପାରେ ।
ଯଦି ଆମେ ଗିଲଙ୍କ କ୍ୟାରିୟର ବିଷୟରେ କହିବା, ତେବେ ଏପର୍ଯ୍ୟନ୍ତ ସେ ହାରାହାରି ୩୧.୮୪ ରେ ୮ ଟି ଟେଷ୍ଟ ମ୍ୟାଚରେ ମାତ୍ର ୪୧୪ ରନ୍ ସଂଗ୍ରହ କରିଛନ୍ତି । ୩ ଟି ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ଆସିଛି । ଅନେକ ବଡ କ୍ରିକେଟ୍ କିମ୍ବଦନ୍ତୀ କହିଛନ୍ତି ଯେ ଶୁଭମାନ ଗିଲ ଭବିଷ୍ୟତର ଖେଳାଳି, କିନ୍ତୁ ତଥାପି ତାଙ୍କ ବ୍ୟାଟିଂରେ ଅନେକ ତ୍ରୁଟି ରହିଛି, ଓପନିଂରେ ସୁଇଙ୍ଗ ବୋଲିଂ ଆଗରେ ତାଙ୍କ ପାଦ ଠିକ୍ ଭାବରେ ଚାଲୁ ନଥିୂବା ଦେଖିବାକୁ ମିଳୁଛି ।