ମୁମ୍ବାଇ : ଆଇପିଏଲ୍ର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମ ହେବ ନାହିଁ । ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ବିସିସିଆଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଚଳିତ ବର୍ଷର ଆଇପିଏଲ୍ ବହୁ କଷ୍ଟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତରେ କରୋନା ସଂକ୍ରମଣ ସାଙ୍ଘାତିକ ସ୍ଥିତିରେ ପହଞ୍ଚିଥିବାରୁ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରାଯାଇଛି । ସେଥିଲାଗି ସେଠାରେ ଦୁଇ ଦେଶର କ୍ରିକେଟ୍ ବୋଡର଼୍ ଏବଂ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ବିଶେଷ କରି ଖେଳାଳି ଓ କର୍ମକର୍ତ୍ତାମାନେ ଯେପରି ସଂପୂର୍ଣ୍ଣ ସୁରକ୍ଷିତ ରହିବେ, ସେହି ଦିଗ ପ୍ରତି ସର୍ବାଧିକ ଧ୍ୟାନ ଦିଆଯାଉଛି । ୨୦୨୧ରେ ମଧ୍ୟ କରୋନା ପରିସ୍ଥିତି ବଳବତ୍ତର ରହିବାର ଆଶଙ୍କା ରହିଛି । ଖେଳାଳି ନିଲାମ ଏକ ମେଗା କାର୍ଯ୍ୟକ୍ରମ । ଏଥିରେ ସଂଖ୍ୟାଧିକ ଲୋକଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ । ଅଯଥା ରିସ୍କ୍ ନନେବା ପାଇଁ ବିସିସିଆଇ ଚାହୁଁଥିବାରୁ ୨୦୨୧ ଆଇପିଏଲ୍ ପାଇଁ ଖେଳାଳି ନିଲାମକୁ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ସ୍ଥଗିତ ରହିବ । ଆସନ୍ତା ବର୍ଷ ଆଇପିଏଲ୍ ଦଳଗୁଡ଼ିକ ବର୍ତ୍ତମାନର ଖେଳାଳିମାନଙ୍କୁ ନେଇ ଖେଳିବେ ବୋଲି ସୂଚନା ମିଳୁଛି । ତେବେ ଶେଷ ମୁହୂର୍ତ୍ତରେ ଯଦି କୌଣସି ଅସୁବିଧା ଦେଖାଦିଏ, ସେ କ୍ଷେତ୍ରରେ ଖେଳାଳି ଅଦଳବଦଳ କରିପାରନ୍ତି । ଆହତ କିମ୍ବା ଅନୁପଲବ୍ଧତା କ୍ଷେତ୍ରରେ ଏଭଳି ପଦକ୍ଷେପ ଦଳଗୁଡ଼ିକ ନେଇପାରିବେ । ଚଳିତ ବର୍ଷ ଆଇପିଏଲ୍ ଅନୁଷ୍ଠିତ ହେଲେ ମଧ୍ୟ ତାହା ବିଗତ ବର୍ଷଗୁଡ଼ିକ ଭଳି ଆକର୍ଷଣୀୟ ହେବନାହିଁ । ପୂର୍ବରୁ ଆଇପିଏଲ୍ରୁ ଯେଭଳି ବିପୁଳ ପରିମାଣର ରାଜସ୍ୱ ମିଳୁଥିଲା ତାହା ମଧ୍ୟ ମିଳିବ ନାହିଁ ।