ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ବିଷୟରେ ଏକ ବଡ ଖବର ଆସୁଛି । ଏହି ଖବର ଅନୁଯାୟୀ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଖୁବ୍ ଶୀଘ୍ର ତାଙ୍କ ପଦ ଛାଡି ପାରିନ୍ତି । ଚଳିତ ବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଏବଂ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ଟିମ୍ ଇଣ୍ଡିଆଠାରୁ ଅଲଗା ହୋଇପାରନ୍ତି । ଏହାର ମୁଖ୍ୟ କାରଣ ହେଉଛି ଟିମ୍ ଇଣ୍ଡିଆର ଆଇସିସି ଟାଇଟଲ୍ ଜିତିବାରେ ବିଫଳତା । ଶାସ୍ତ୍ରୀଙ୍କ କୋଚିଂ ଅଧୀନରେ ଟିମ୍ ଇଣ୍ଡିଆ ଗୋଟିଏ ହେଲେ ବି ଆଇସିସି ଟାଇଟଲ୍ ଜିତିପାରି ନାହିଁ ।
ଏ ସଂପର୍କରେ ଶାସ୍ତ୍ରୀ ବିସିସିଆଇଙ୍କୁ ମଧ୍ୟ ସୂଚନା ଦେଇଛନ୍ତି । ଶାସ୍ତ୍ରୀଙ୍କ ସମେତ ସମଗ୍ର କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ମଧ୍ୟ ନଭେମ୍ବରରେ ଶେଷ ହେଉଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁଯାୟୀ, ବିସିସିଆଇ ଟି -୨୦ ବିଶ୍ୱକପ ପରେ ନୂତନ କୋଚିଂଷ୍ଟାଫ୍ ନିଯୁକ୍ତ କରିବାକୁ ଚାହୁଁଛି, ଯାହା ଦ୍ୱାରା ଭାରତୀୟ କ୍ରିକେଟକୁ ନୂତନ ଉଚ୍ଚତାକୁ ନିଆଯାଇପାରିବ ।
ରବି ଶାସ୍ତ୍ରୀ ପ୍ରଥମେ ନିର୍ଦ୍ଦେଶକ ଭାବରେ ୨୦୧୪ ରେ ଟିମ୍ ଇଣ୍ଡିଆରେ ଯୋଗ ଦେଇଥିଲେ । ତାଙ୍କର ଚୁକ୍ତି ୨୦୧୬ ପର୍ଯ୍ୟନ୍ତ ଥିଲା । ଏହା ପରେ ଶାସ୍ତ୍ରୀଙ୍କୁ ଏକ ବର୍ଷ ପାଇଁ କୋଚ୍ ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ଅନିଲ କୁମ୍ବଲେଙ୍କ ପରେ ୨୦୧୭ ରେ ଟିମ୍ ଇଣ୍ଡିଆର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହୋଇଥିଲେ । ସେତେବେଳେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ୨୦୧୯ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଥିଲା । ୨୦୧୯ରେ ଟିମôର ଭଲ ପ୍ରଦର୍ଶନ ପରେ, ଶାସ୍ତ୍ରୀଙ୍କ ଚୁକ୍ତି ୨୦୨୦ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।ଗତ ବର୍ଷ କରୋନା କାରଣରୁ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହୋଇପାରି ନଥିଲା, କିନ୍ତୁ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଚଳିତ ବର୍ଷର ଟି -୨୦ ବିଶ୍ୱକପ ପରେ ଶେଷ ହେବ । ମିଡିଆ ରିପୋର୍ଟ ଅନୁଯାୟୀ, ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ନିର୍ଦ୍ଦେଶକ ରାହୁଲ ଦ୍ରାବିଡଙ୍କୁ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇପାରେ । ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ହିଁ ଭାରତ ଅଷ୍ଟ୍ରେଲିଆକୁ ତା’ର ମାଟିରେ ପରାସ୍ତ କରିଥିଲା । ଏହା ପରେ ଗତ ମାସରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ମଧ୍ୟ ଖେଳିଥିଲା । ତେବେ ଶାସ୍ତ୍ରୀ, ଶ୍ରୀଧର ଏବଂ ବିକ୍ରମଙ୍କ କୋଚିଂରେ ଟିମ୍ ଇଣ୍ଡିଆ କେବେବି ଆଇସିସି ଟାଇଟଲ୍ ଜିତି ନାହିଁ । ୨୦୧୯ ବିଶ୍ୱକପରେ ଭାରତୀୟ ଦଳ ପରାସ୍ତ ହୋଇଛି । ଏହା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ଦଳକୁ ମଧ୍ୟ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।
ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଦ୍ରାବିଡ ତାଙ୍କ କୋଚିଂରେ ଭାରତ-ଏ ଏବଂ ଭାରତର ଅଣ୍ଡର -୧୯ କ୍ରିକେଟ୍ ଦଳକୁ ଅନେକ ସଫଳତା ଦେଇଛନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷରେ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଦଳ ସହ ମୁଖ୍ୟ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିଥିଲା । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ଜିତିଥିବା ବେଳେ ଟି-୨୦ ସିରିଜରେ ପରାସ୍ତ ହୋଇଥିଲା । କାରଣ କୃଣାଲ ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ୯ଜଣ ଆଗଧାଡିର ଖେଳାଳି ଶେଷ ଦୁଇଟି ଟି-୨୦ରେ ସାମିଲ ହୋଇପାରିନଥିଲେ ।