ବିରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ଅହମ୍ମଦାବାଦ : ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି -୨୦ ଅଧିନାୟକ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୬୦ ରନ୍‌ କରିବା ସହ ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ୱାନ ଡେ ଇଣ୍ଟରନ୍ୟାସନାଲରେ ଓପନର୍‌ ଭାବରେ ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ରନ୍‌ ସ୍କୋର କରିବାରେ ରୋହିତ ବର୍ତ୍ତମାନ ସେହୱାଗଙ୍କୁ ଅତିକ୍ରମ କରିଛନ୍ତି । ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଦିନିକିଆରେ ଓପନର୍‌ ଭାବରେ ୭୨୩୮ ରନ୍‌ ସଂଗ୍ରହ କରିଥିବାବେଳେ ସେହ୍ୱାଗ୍‌ ଓପନର୍‌ ଭାବରେ ତାଙ୍କ ଆକାଉଣ୍ଟରେ ୭୨୪୦ ରନ୍‌ କରିଛନ୍ତି । ରୋହିତଙ୍କ ଆଗରେ ଏହି ପ୍ରସଙ୍ଗରେ ବର୍ତ୍ତମାନ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରହିଛନ୍ତି ।
ରୋହିତ ୨୦୧୧ ରୁ ୨୦୨୨ ମଧ୍ୟରେ ୧୪୪ ଟି ମ୍ୟାଚରେ ଭାରତ ପକ୍ଷରୁ ଓପନିଂ କରିଛନ୍ତି । ସେ ହାରାହାରି ୫୭.୪୬ ହାରରେ ମୋଟ ୭୨୯୮ ରନ୍‌ ସ୍କୋର କରିଛନ୍ତି । ଏଥି ସହିତ ସେହ୍ୱାଗ୍‌ ୨୦୦୧ ରୁ ୨୦୧୩ ମଧ୍ୟରେ ୨୦୪ ୱାନ ଡେ ଇଣ୍ଟରନ୍ୟାସନାଲରେ ଭାରତ ପାଇଁ ନିଜର ଇନିଂସ ଆରମ୍ଭ କରି ହାରାହାରି ୩୬.୯୩ ହାରରେ ମୋଟ ୭୨୪୦ ରନ୍‌ ସଂଗ୍ରହ କରିଥିଲେ ଏବଂ ଷ୍ଟ୍ରାଇକ୍‌ ହାର ୧୦୪.୮୫ ରହିଥିଲା ।
ଏହି ତାଲିକାର ଶୀର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର, ଯିଏ ୧୯୯୪ ରୁ ୨୦୧୨ ମଧ୍ୟରେ ଭାରତ ପାଇଁ ୩୪୪ ଟି ଦିନିକିଆରେ ଓପନିଂ ଖେଳିଥିଲେ । ଏହି ସମୟ ମଧ୍ୟରେ ସେ ୧୫୩୧୦ ରନ୍‌ ସଂଗ୍ରହ କରିଥିଲେ । ସେହିପରି ଗାଙ୍ଗୁଲି ୨୪୨ ଟି ଦିନିକିଆରେ ୯୧୪୬ ରନ୍‌ ସଂଗ୍ରହ କରିଛନ୍ତି ।

Comments (0)
Add Comment