ଅବସର ନେଲେ ଟେଲର : ପାଇଲେ ଗାର୍ଡ ଅଫ ଅନର

ନୂଆଦିଲ୍ଲୀ,୪/୪: ଏକାଧିକ ମ୍ୟାଚରେ ନିଜ ଦଳର ବିଜୟରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିବା ନ୍ୟୁଜିଲାଣ୍ଡର ଭେଟେରାନ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନେଦରଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଥିଲା ତାଙ୍କର ଶେଷ ମ୍ୟାଚ । ଏହି ମ୍ୟାଚରେ ଆର୍ଯ୍ୟନ ଦତ୍ତଙ୍କ ଚମତ୍କାର କ୍ୟାଚ୍‌ ଧରି ଟେଲର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ନ୍ୟୁଜିଲାଣ୍ଡ ୧୧୫ ରନରେ ଏହି ମୁକାବିଲା ଜିତି ନେଦରଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜକୁ ୩-୦ରେ ପୋଛି ନେଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାର୍ଟିନ ଗପଟିଲ୍‌ ଏବଂ ୱିଲ ୟଙ୍କଙ୍କ ଶତକ ସାହାଯ୍ୟରେ ୩୩୩ ରନର ବିଶାଳ ସ୍କୋର କରିଥିଲା । ଟସ୍‌ ଟେଲର ଏହି ମ୍ୟାଚ୍‌ରେ ମାତ୍ର ୧୪ ରନ କରିପାରିଥଲେ । ଜବାବରେ ନେଦରଲାଣ୍ଡ ୪୨.୩ ଓଭରରେ ୨୧୮ ରନରେ ଅଲଆଉଟ୍‌ ହୋଇଥିଲା । ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟେଲର ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇବା ମାତ୍ରେ ନେଦରଲାଣ୍ଡର ଖେଳାଳି ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ । ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଟେଲର ଜାତୀୟ ସଙ୍ଗୀତରେ ବହୁତ ଭାବୁକ ହୋଇ ପଡିଥିଲେ । ଜାତୀୟ ସଙ୍ଗୀତ ଗାନ ସମୟରେ ସେ ନିଜର ଲୁହ ରୋକି ପାରିନଥିଲେ । ଟେଲର ଅନ୍ତର୍ଜାତୀୟ କ୍ରିକେଟ୍‌ର ପ୍ରତିଟି ଫର୍ମାଟରେ ୧୦୦ରୁ ଅଧିକ ମ୍ୟାଚ୍‌ ଖେଳିଛନ୍ତି । ୧୧୨ ଟେଷ୍ଟ,୨୩୫ ଦିନିକିଆ ଏବଂ ୧୦୨ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ୱ କରିଥିବା ଏହି ମହାନ ବ୍ୟାଟସମ୍ୟାନ ମୋଟ୍‌ ୧୮,୧୮୫ ରନ କରିଛନ୍ତି । ଟେଲର ନ୍ୟୁଜିଲାଣ୍ଡ ତରଫରୁ ଟେଷ୍ଟରେ ୭୬୮୩ ରନ ଏବଂ ଦିନିକିଆରେ ୮୫୯୩ ରନ କରି ନ୍ୟୁଜିଲାଣ୍ଡ ତରଫରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇଛନ୍ତି ।

Comments (0)
Add Comment