ନୂଆଦିଲ୍ଲୀ : ବହୁ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ବିଶ୍ୱର ଜଣେ ଶେଷ୍ଠ ବ୍ୟାଟସମ୍ୟାନ ତଥା ଅଧିନାୟକ ବୋଲି କହୁଥିବା ବେଳେ ଆଉ କିଛି କ୍ରିକେଟର ତାଙ୍କୁ ଏହି ମାନ୍ୟତା ଦେବାକୁ ପ୍ରସ୍ତୁତ ନୁହନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ସଞ୍ଜୟ ମଞ୍ଜରେକର । ମଞ୍ଜରେକର ତାଙ୍କର ନିଜର ମହାନ ଅଧିନାୟକ ତାଲିକାରେ କୋହଲିଙ୍କୁ ସ୍ଥାନ ଦେଇନାହାନ୍ତି । ଏକଥା ସେ ନିଜେ ପ୍ରକାଶ କରିଛନ୍ତି । ମଞ୍ଜରେକର ନିଜର ମହାନ ଅଧିନାୟକଙ୍କ ତାଲିକା ବିଷୟରେ କହିଛନ୍ତି, ଯେତେବେଳେ ମହାନ ଅଧିନାୟକଙ୍କ ବିଷୟରେ ଆଲୋଚନା କରାଯିବ,ସେଥିରେ ଧୋନୀଙ୍କୁ ନରଖିବା ବହୁତ ବଡ ଭୁଲ୍ ହେବ । କପିଲ୍ ଦେବ ଦଳକୁ ମୁସ୍କିଲ ସମୟରେ ଉଠାଇଥିଲେ । ସୌରଭ ଗାଙ୍ଗୁଲି ମ୍ୟାଚ୍ ଫିକ୍ସିଂ ସ୍କାଣ୍ଡାଲ ପରେ ଦଳକୁ ବିଦେଶରେ ସିରିଜ୍ ଜିତାଇଥିଲେ ଏବଂ ସୁନିଲ ଗାଭାସ୍କର ମଧ୍ୟ ଏଥିରେ ସାମିଲ୍ । ଏହି ସବୁ ଖେଳାଳି ଦଳକୁ ଭଲ ନେତୃତ୍ୱ ଦେଇଥିଲେ ବୋଲି ମଞ୍ଜରେକର କହିଛନ୍ତି । କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ରେ ପରାଜୟ, ୨୦୧୯ ବିଶ୍ୱ କପ୍ ସେମି ଫାଇନାଲ୍ରେ ପରାଜୟ, ୨୦୨୧ରେ ଆଇସିସି ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ରେ ପରାଜୟ ଏବଂ ୨୦୨୧ ଟି-୨୦ ବିଶ୍ୱ କପ୍ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍ ହାରିବା ପରେ ପ୍ରଥମ ରାଉଣ୍ଡରୁ ବାହାର ହେବାକୁ ପଡିଥିଲା । ଏହା ହିଁ କୋହଲିଙ୍କ ଅଧିନାୟକ ପଦ ଚାଲିଥିବା କାରଣ ମଧ୍ୟରୁ ଏକ । ଅଧିନାୟକ ଭାବେ ବିରାଟ କୋହଲିଙ୍କ ରେକର୍ଡ ଚମତ୍କାର ରହିଛି । ଟେଷ୍ଟ ଫର୍ମାଟ୍ରେ ତାଙ୍କ ନେତୃତ୍ୱର ଖୁବ୍ ପ୍ରଶଂସା କରାଯାଏ । ମାତ୍ର ସୀମିତ ଓଭର କ୍ରିକେଟ୍ରେ ବିରାଟଙ୍କ ନେତୃତ୍ୱ ଉପରେ ଲଗାତାର ପ୍ରଶ୍ନ ଉଠି ଆସିଛି ।