ଲାହୋର: ଆଉ ଏକ କୀର୍ତ୍ତିମାନର ଅଧିକଶରୀ ହୋଇଛନ୍ତି ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟର ଷ୍ଟିଭ ସ୍ମିଥ । ସେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ପାକିସ୍ତାନ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୧୭ ରନ୍ରେ ଇନିଂସ ଖେଳିଛନ୍ତି । ହେଲେ ଏହି ଇନିଂସ ବଳରେ ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସବୁଠାରୁ କମ ଇନିଂସ୍ରେ ଟେଷ୍ଟ କ୍ରିକେଟରେ ୮ ହଜାର ରନ୍ ପୂରଣ କରିପାରିଛନ୍ତି । ଏହାପୂର୍ବରୁ ସବୁଠାରୁ କମ ଇନିଂସ୍ରେ ୮ ହଜାର ପୂରଣ କରିଥିବା ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର କୁମାର ସାଙ୍ଗାକାରା ୧ନଂ ସ୍ଥାନରେ ରହିଥିଲେ । ହେଲେ ସାଙ୍ଗାକାରାଙ୍କ ଠାରୁ ମାତ୍ର ଗୋଟିଏ କମ ଇନିଂସ୍ ଖେଳି ସ୍ମିଥ ଟେଷ୍ଟ କ୍ରିକେଟରେ ୮ ହଜାର ରନ ପୂରଣ କରିପାରିଛନ୍ତି । ସାଙ୍ଗାକାର ୧୫୨ଟି ଇନିଂସରେ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ । ହେଲେ ସ୍ମିଥ ୧୫୧ଟି ଇନିଂସରେ ୮୦୦୦ ରନ କ୍ଲବରେ ନିଜକୁ ସାମିଲ କରିଛନ୍ତି । ସ୍ମିଥ ୮୫ଟି ମ୍ୟାଚ୍ ଖେଳିଛନ୍ତି । ସାଙ୍ଗାକାରା ୯୧ଟି ମ୍ୟାଚ୍ ଖେଳିବା ପରେ ୮ ହଜାର ରନ କରିଥିଲେ । ଏହି ଦୁଇ ଖେଳାଳିଙ୍କ ପରେ ସଚିନ ତେନ୍ଦୁଲକରଙ୍କ ନାଁ ରହିଛି । ସେ ୧୫୪ଟି ଇନିଂସରେ ୮ ହଜାର ରନ ପୂରଣ କରିଥିଲେ । ସ୍ମିଥ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ଯଥାକ୍ରମେ ୭୮ ଓ ୭୨ ରନ୍ କରିଥିଲେ । ଏବେ ଲାହୋରର ଗଦାଫି ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ୫୯ ରନ କରିଥିଲେ । ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ୧୭ ରନ୍ରେ ଦୁଇଟି ୱିକେଟ ହରାଇଥିଲା । ଏହାପରେ ସ୍ମିଥ ଓ ଉସମାନ ଖ୍ୱାଜା ସ୍ଥିତି ସମ୍ଭାଳି ତୃତୀୟ ୱିକେଟ ପାଇଁ ୧୩୮ ରନ ଯୋଡିଇଥିଲେ । ସ୍ମିଥ ୫୯ ଓ ଉସମାନ ଖ୍ୱାଜା ୯୧ ରନ କରି ଆଉଟ ହେବା ପରେ ପାକିସ୍ତାନ କମବ୍ୟାକ କରିବ ବୋଲି ଆଶା କରାଯାଉଥିଲା । ତେବେ ଆଲେକ୍ସ କେରୀ ଓ କ୍ୟାମେରନ ଗ୍ରୀନ ୧୩୫ ରନ ଯୋଡିଥିଲେ । ଫଳରେ ଅଷ୍ଟ୍ରେଲିଆର ୩୦୦ରୁ ଅଧିକ ରନ କରିପାରିଥିଲା । ଗ୍ରୀନ ୭୯ କରିଥିବା ବେଳେ କେରୀ ୬୭ ରନ କରିଥିଲେ । ଅଷ୍ଟ୍ରେଲିଆର ତା’ର ପ୍ରଥମ ଇନିଂସରେ ୩୯୧ ରନ୍ରେ ଅଲଆଉଟ ହେବା ପରେ ପାକିସ୍ତାନ ଇନିଂସ ଆରମ୍ଭ କରିଥିଲା । ଦ୍ୱିତୀୟ ଇନିଂସରେ ପାକିସ୍ତାନ ୨୬୮ ରନ୍ କରି ଅଲଆଉଟ ହୋଇଯାଇଛି । ଏହାପରେ ଅଷ୍ଟ୍ରେଲିଆର ତା’ର ଦ୍ୱିତୀୟ ଇନିଂସରେ ଉସମାନ ଖ୍ୱାଜାଙ୍କ ଅପରାଜିତ ୧୦୪ ରନ, ଡାଭିଡ ୱାର୍ଣ୍ଣରଙ୍କ ୫୧, ମାର୍ନସ ଲାବୁଶେନଙ୍କ ୩୬, ସ୍ମିଥ ୧୭ ଓ ଟ୍ରାଭିସ ହେଡଙ୍କ ଅପରାଜିତ ୧୧ ରନ୍ ବଳରେ ୨୨୭/୩ରେ ପାଳି ଘୋଷଣା କରିଛନ୍ତି । ଫଳରେ ପାକିସ୍ତାନକୁ ତୃତୀୟ ଟେଷ୍ଟ ଜିତିବାକୁ ୩୫୧ ରନ୍ର ଟାର୍ଗେଟ ମିଳିଛି । ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ବିନା ୱିକେଟରେ ୭୩ ରନ୍ କରି ନେଇଛି । ଅର୍ଥାତ ଶେଷ ଦିନରେ ପାକିସ୍ତାନକୁ ଜିତିବା ପାଇଁ ୨୭୮ ରନ୍ କରିବାକୁ ପଡିବ ।