କେପଟାଉନ : ଆଜିଠାରୁ କେପଟାଉନର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଭାରତ ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ତାର ପ୍ରଥମ ଇନିଂସରେ ମାତ୍ର ୨୨୩ ରନ କରି ଅଲଆଉଟ୍ ହୋଇଯାଇଛି । ଅଧିନାୟକ ବିରାଟ କୋହଲି ପୁଣିଥରେ ଶତକରୁ ବଞ୍ଚିତ ହୋଇଛନ୍ତି । ସେ ଦଳ ପାଇଁ ସର୍ବାଧିକ ୭୯ ରନ କରିଥିଲେ । ଇତିହାସ ସୃଷ୍ଟି କରିବାର ଉଦ୍ଦେଶ୍ୟରେ ଭାରତୀୟ ଦଳ ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଥିଲା । କିନ୍ତୁ କେଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲଙ୍କ ଯୋଡି ପ୍ରଥମ ୱିକେଟ୍ ପାଇଁ ମାତ୍ର ୩୧ ରନ୍ ଯୋଡିପାରିଥିଲେ । ମୟଙ୍କ ଏବଂ ରାହୁଲ କ୍ରମାଗତ ଓଭରରେ ଆଉଟ୍ ହୋଇ ଦଳକୁ ସଂକଟ ପରିସ୍ଥିତିକୁ ଠେଲି ଦେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଚେତେଶ୍ୱର ପୂଜାରା ୪୩ ରନ୍ ରନ କରିବା ପରେ ପାଭିଲିୟନକୁ ଫେରିଥିଲେ । ଅଜିଙ୍କ୍ୟ ରାହାଣେ କେବଳ ୧୨ ଟି ବଲ ଖେଳି ୯ ରନ କରି ରାବଡାଙ୍କ ଶିକାର ହୋଇଥିଲେ । କୋହଲି ୧୫୮ ବଲ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ୨୦୧ ବଲରେ ୭୯ ରନ୍ କରି ସେ ଆଉଟ ହୋଇଥିଲେ । ସେହପରି ପନ୍ତ ମଧ୍ୟ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ । ସେ ମାତ୍ର ୨୭ ରନ କରି ଜନସନଙ୍କ ଶିକାର ହୋଇଥିଲେ । ବୋଲିଂରେ ରାବାଡଙ୍କୁ ୪ ଉଇକେଟ ମିଳିଥିବେଳେ ଜନସନଙ୍କୁ ୩ ଉଇକେଟ ମିଳିଥିଲା । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ବର୍ତ୍ତମାନ ୧-୧ ରେ ରହଛି । ତୃତୀୟ ଟେଷ୍ଟରେ ଜିତି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜ୍ ଜିତିବାର ସୁଯୋଗ ଭାରତ ପାଖରେ ରହିଛି ।