ଲିଡ୍ସ: ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆସନ୍ତାକାଲିଠାରୁ ହେଡଗ୍ଲେର ଲିଡ୍ସରେ ଖେଳାଯିବ । ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଏଣୁ ଭାରତୀୟ ଦଳର ମନୋବଳ ବହୁ ଉଚ୍ଚର ରହିଛି । ଇଂଲଣ୍ଡ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ତାଙ୍କର ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିାବ ନିହାତି ଦରକାର ବୋଲି କ୍ରିକେଟ ସମୀକ୍ଷକମାନେ କହିଛନ୍ତି । ଟିମ୍ ଇଣ୍ଡିଆ ନିଶ୍ଚିତ ଭାବରେ ଶେଷ ଟେଷ୍ଟ ମ୍ୟାଚ୍ ଜିତିଛି, କିନ୍ତୁ ଦଳର ମଧ୍ୟମ କ୍ରମ ବ୍ୟାଟ୍ସମ୍ୟାନେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି । ମୁଖ୍ୟତଃ ଅଧିନାୟକ ବିରାଟ କୋହଲି ବ୍ୟାଟ୍ ଏପର୍ଯ୍ୟନ୍ତ ଚାଲି ନାହିଁ । ସେହିପରି ଅଭିଜ୍ଞ ପୂଜାରା ରନ ପାଇଁ ସଂଘର୍ଷ କରୁଛନ୍ତି । ଅନ୍ୟ ପକ୍ଷରେ ଗତ ମ୍ୟାଚରେ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ଅର୍ଜନ ଆଜିଙ୍କ୍ୟ ରାହାଣେ ତାଙ୍କର ପୂର୍ବ ଲୟକୁ ଫେରିଥିବା ମନେ ହେଉଛି । ଦଳ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା । ଦଳ ତାଙ୍କର ସ୍ଥାନରେ ସୂର୍ଯ୍ୟକୁମାର ଯାଦଙ୍କୁ ସୁଯୋଗ ଦେଇପାରି ବୋଲି କୁହାଯାଇଛି । ଏମିତି ହେଲେ ସୂର୍ଯ୍ୟକୁମାର ତାଙ୍କର ଟେଷ୍ଟ ଡେବ୍ୟୁ ଆସନ୍ତାକାଲି କରିବେ । ସ୍ପିନର ଅଶ୍ୱିନଙ୍କୁ ନେଇ ମଧ୍ୟ ଦଳରେ ଅନେକ ଚର୍ଚ୍ଚା ଲାଗିଛି । ତାଙ୍କୁ ଏକାଦଶରେ ସାମିଲ କରାଯାଉନଥିବାରୁ ବହୁ ପୂର୍ବତନ କ୍ରିକେଟର ଟିମ୍ ମ୍ୟାନେଜମେଣ୍ଟ ଉପରେ ଖପ୍ପା ହୋଇଛନ୍ତି । ଆସନ୍ତାକାଲିର ମ୍ୟାଚରେ ଅଶ୍ୱିନଙ୍କୁ ସାମିଲ କରାଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ତେବେ ଚେତେଶ୍ୱର ପୂଜାରାଙ୍କୁ ଆସନ୍ତାକାଲି ମ୍ୟାଚରେ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି । ଗତ ମ୍ୟାଚରେ କେଏଲ ରାହୁଲ ଓ ଦ୍ୱିତୀୟ ଇନିଂସରେ ରାହାଣେ ଭଲ ବ୍ୟାଟିଂ କରିଥିବାରୁ ପୂଜାରାଙ୍କ ବ୍ୟାଟିଂ ଉପରେ କେହି ଧ୍ୟାନ ଦେଇନଥିଲେ ।
ଅନ୍ୟ ପକ୍ଷରେ ଇଂଲଣ୍ଡ ଦଳ ତା’ର ଶୀର୍ଷସ୍ତରୀୟ ବ୍ୟାଟ୍ସମାନଙ୍କୁ ନେଇ ଚିନ୍ତାରେ ଥିବା ବେଳେ ଗତକାଲି ଷ୍ଟାର ପେସର ଉଡ ଆହତ କାରଣରୁ ଦଳରୁ ବାଦ୍ ପଡିବା ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି । କେବଳ ରୁଟ୍ଙ୍କ ବ୍ୟାଟିଂ ବଳରେ ଦଳ ଲଢୁଛି । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖି ଦୃଶିଆ ପ୍ରଦର୍ଶନ କରିପାରିନାହାନ୍ତି ।
ଭାରତର ସମ୍ଭାବ୍ୟ ଏକାଦଶ
୧. ବିରାଟ କୋହଲି (କ୍ୟାପଟେନ୍) ୨. ରୋହିତ ଶର୍ମା ୩. ଚେତେଶ୍ୱର ପୂଜାରା / ସୂର୍ଯ୍ୟକୁମାର ଯାଦବ ୪. ଅଜିଙ୍କ୍ୟ ରାହାଣେ ୫. ଋଷଭ ପନ୍ତ (ଉଇକେଟ କିପର) ୬. ରବିନ୍ଦ୍ର ଜାଡେଜା ୭. ମହମ୍ମଦ ସିରାଜ ୮. ମହମ୍ମଦ ଶାମି ୯. ଶାର୍ଦ୍ଦୁଲ ଠାକୁର ୧୧. ଜସପ୍ରୀତ ବୁମ୍ରା