ଦୁବାଇ: ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଅଷ୍ଟ୍ରେଲିଆ ଜିତିଲା ତା’ର ପ୍ରଥମ ଟି-୨୦ ବିଶ୍ୱକପ ଟ୍ରଫି । ଏଥି ସହିତ ପୁଣିଥରେ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ଡେଭିଡ ୱାର୍ଣ୍ଣର ଓ ମାର୍ଶ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳ ମାତ୍ର ୧୮.୫ ଓଭରରେ ୨ ଉଇକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଛି । ୧୭୩ରନ ଟାର୍ଗେଟ ପିଛା କରିବାକୁ ପଡିଆ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ପ୍ରଥମରୁ ଅଧିନାୟକ ଆରୋନ ଫିଞ୍ଚ ଉଇକେଟ ହରାଇଥିଲା । କିନ୍ତୁ ୱାର୍ଣ୍ଣର ଓ ମିଚେଲ ମାର୍ଶ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୱାର୍ଣ୍ଣରକୁ ବୋଲ୍ଟ ଆଉଟ୍ କରି ନ୍ୟୁଜିଲାଣ୍ଡ ଶିବିରରେ କିଛିଟା ଖୁସି ଆଣିଥିଲେ ମଧ୍ୟ ତାହା କିଛି କ୍ଷଣ ପାଇଁ ରହିଥିଲା । ମାକ୍ସୱେଲ ପଡିଆକୁ ଓହ୍ଲାଇବା ପରେ ବିସ୍ଫୋରକ ପାଳି ଖେଳିଥିଲେ । ସେ ମାତ୍ର ୧୮ ବଲରେ ୨୮ କରିଥିବା ବେଳେ ମାର୍ଶ ଅପରାଜିତ ୫୦ ବଲରେ ୭୭ ରନ କରିଥିଲେ । ଡେଭିଡ ୱାର୍ଣ୍ଣର ୩୮ ବଲରେ ୫୩ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ବୋଲ୍ଟ ଦୁଇଟି ଉଇକେଟ ନେଇଥିଲୋ
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲରେ ଅଷ୍ର୍ଟ୍ରେଲିଆ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ ଭଲ ଆରମ୍ଭ କରିଥିଲା । ପ୍ରଥମ ୱିକେଟ୍ ପାଇଁ ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ ଓ ଡାରିଏଲ୍ ମିଚେଲ୍ ୨୮ ରନ୍ ଯୋଡିଥିଲେ । ପାକିସ୍ତାନ ବିପକ୍ଷରେ ୭୨ ରନର ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିଥିବା ମିଚେଲ୍ ଆଜି ମାତ୍ର ୧୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ।
ମିଚେଲଙ୍କ ଆଉଟ୍ ପରେ କିୱି ଟିମର ରନ୍ ଗତି ହ୍ରାସ ପାଇଥିଲା । ଯେଉଁ କାରଣରୁ ଦଳ ୧୦ ଓଭରରେ ମାତ୍ର ୫୭ ରନ୍ କରିପାରିଥିଲା । ତେବେ ଏହା ପରଠାରୁ ୱିଲିୟମସନ୍ ଗିୟର ବଦଳାଇଥିଲେ । ଅନ୍ୟପଟେ ଗପ୍ଟିଲ ବଡ ସଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ । ସେ ୨୮ ରନ୍ କରି ଆଡାମ ଜାମ୍ପାଙ୍କ ଶିକାର ହୋଇଥିଲେ । ଏହା ପରେ ୱିଲିୟମସନଙ୍କୁ ଭରପୂର ସାଥ୍ ଦେଇଥିଲେ ଗ୍ଲେନ୍ ଫିଲିପ୍ସ । ୱିଲିୟମସନ୍ ମାତ୍ର ୩୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ।
ୱିଲିୟମସନ୍ ଓ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୩୬ ବଲରେ ୭୮ ରନର ଭାଗିଦାରୀ କରିଥିଲେ । ଫିଲିପ୍ସ (୧୮)ଙ୍କୁ ଜୋଶ ହେଜଲଉଡ୍ ଆଉଟ୍ କରିଥିଲେ । ଏହା ପରେ ଶତକ ଆଡକୁ ଅଗ୍ରସର ହେଉଥିବା ୱିଲିୟମସନଙ୍କୁ ମଧ୍ୟ ପ୍ୟାଭିଲିୟନ୍ ପଠାଇଥିଲେ ହେଜଲଉଡ୍ । ୱିଲିୟମସନ୍ ମାତ୍ର ୪୮ ବଲରେ ୮୫ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଚୌକା ଓ ୩ ଛକା ସାମିଲ୍ ଥିଲେ । ୱିଲିୟମସନଙ୍କ ଆଉଟ୍ ପରେ ଦଳର ରନ୍ ଗତି ହ୍ରାସ ପାଇଥିଲା । ଏହା ପରେ ଜେମ୍ସ ନିଶାମ ଓ ଟିମ୍ ସିଫର୍ଟ ମିଶିକି କିୱି ଟିମକୁ ୧୭୨ ରନରେ ପହଞ୍ଚାଇଥିଲେ । ନିଶାମ ୧୩ ଓ ସିଫର୍ଟ ୮ ରନ୍ କରି ଅପରାଜିତ ଥିଲେ । ଅଷ୍ର୍ଟ୍ରେଲିଆ ପକ୍ଷରୁ ହେଜଲଉଡ୍ ୪ ଓଭରରେ ମାତ୍ର ୧୬ ରନ୍ ନେଇ ୩ଟି ୱିକେଟ୍ ନେଇଥିଲେ । ଅନ୍ୟପଟେ ମିଚେଲ୍ ଷ୍ଟାର୍କ ସବୁଠାରୁ ମହଙ୍ଗା ବୋଲର ଭାବେ ୪ ଓଭରରେ ୬୦ ରନ୍ ବ୍ୟୟ କରିଥିଲେ ।