ତୀରନ୍ଦାଜୀରେ ଭାରତକୁ ହ୍ୟାଟ୍ରିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୬ରେ ଭାରତର ସୁନା ବର୍ଷା। ବୁଧବାର ତୀରନ୍ଦାଜୀରେ ଭାରତକୁ ମିଳିଛି ହ୍ୟାଟ୍ରିକ ସ୍ୱର୍ଣ୍ଣ। ପୂର୍ବରୁ ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଟିମ୍‌ ଇଭେଣ୍ଟ ଓ କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଇଭେଣ୍ଟ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା।
ଏବେ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ ରେକର୍ଡ ସୁନା ପଦକ ଜିତିଛି। ପୁରୁଷ କମ୍ପାଉଣ୍ଡରେ ଭାରତ ବେଶ ନାଟକୀୟ ଢଙ୍ଗରେ ଚାଇନାକୁ ହରାଇ ଏହି ସଫଳତା ପାଇଛି। ଗୋଟିଏ ପଏଣ୍ଟ ବ୍ୟବଧାନରେ ଭାରତୀୟ ଖେଳାଳି ବିଜୟ ବାନା ଉଡ଼ାଇଛନ୍ତି। ୨୩୮-୨୩୭ ପଏଣ୍ଟରେ ଭାରତ ଏବେ ତୀରନ୍ଦାଜୀ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଚାମ୍ପିୟନ ଆଖ୍ୟା ପାଇଛି।
ସାହିଲ ଯାଦବ, ଗଣେଶ ମଣି ରତନମ ଓ କୁଶଲ ଦଲାଲ ମିଳିତ ଭାବେ ଭାରତକୁ ଏହି ସଫଳତା ଦେଇଛନ୍ତି। ଶେଷ ରାଉଣ୍ଡରେ ଭାରତର ୩ ଜଣ ଯାକ ଖେଳାଳି ପରଫେକ୍ଟ ୧୦ ପଏଣ୍ଟ ଲେଖାଏ ହାସଲ କରିଥିଲେ।
ଚାଇନା ମଧ୍ୟ ୩୦ ପଏଣ୍ଟ ପାଇଥିଲା। ହେଲେ ପୂର୍ବରୁ ଚାଇନା କରିଥିବା ତ୍ରୁଟି ଯୋଗୁ ଭାରତ ୨୩୮-୨୩୭ ପଏଣ୍ଟ ବ୍ୟବଧାନରେ ବିଜେତା ହୋଇଛି। ଚାଇନାକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ଏହାପୂର୍ବରୁ ପ୍ରଥମେ ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଟିମ୍‌ ଇଭେଣ୍ଟରୁ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା। ଜ୍ୟୋତି ସୁରେଖା ଭେନ୍ନମ, ଚିକିତା ତନିପାର୍ଥୀ ଓ ପ୍ରତିକା ପ୍ରଦୀପଙ୍କ ଟିମ ଭାରତକୁ ତୀରନ୍ଦାଜୀରେ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ।
ପୁରୁଷ ଟିମ ଭଳି ସେମାନେ ମଧ୍ୟ ଚାଇନାକୁ ଫାଇନାଲରେ ହରାଇଥିଲେ। ୨୩୮-୨୩୪ ପଏଣ୍ଟରେ ଭାରତ ବିଜୟ ହୋଇଥିଲା। ୨୩୮ ପଏଣ୍ଟ ସହ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ସହିତ ବିଶ୍ୱ ରେକର୍ଡର ସମକକ୍ଷ ହୋଇଥିଲା।
ଏହାପରେ ଆଉ ଏକ ସ୍ୱର୍ଣ୍ଣ କମ୍ପାଉଣ୍ଡ ମିକ୍ସଡ୍ ଇଭେଣ୍ଟରୁ ଆସିଥିଲା। ଏହି ଟିମ୍‌ରେ ଥିଲେ ସାହିଲ ଯାଦବ ଓ ଚିକିତା ତନିପାର୍ଥୀ। ଫାଇନାଲରେ ସେମାନେ ଦକ୍ଷିଣ କୋରିଆକୁ ଶୁଟ୍‌-ଅଫ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ସାହିଲ ଯାଦବ ଓ ଚିକିତା ତନିପାର୍ଥୀଙ୍କ ସ୍କୋର ଏବଂ ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କ ସ୍କୋର ସମାନ ରହିଥିଲା।
ଉଭୟ ଟିମ୍ ୧୫୭ ଲେଖାଏ ସ୍କୋର କରିଥିଲେ। ଫଳାଫଳ ଟାଏ ରହିବାରୁ ଶୁଟ୍‌-ଅଫ୍ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା। ଆଉ ଏଥିରେ ବାଜି ମାରିଥିଲା ଭାରତୀୟ ଦଳ। ସ୍ୱର୍ଣ୍ଣ ପଦକ ଜିତିବା ସହିତ ତୀରନ୍ଦାଜୀ କମ୍ପାଉଣ୍ଡ ମିକ୍ସଡ୍ ଟିମ୍‌କୁ ୨୦୨୮ ଲସ୍‌ଏଞ୍ଜେଲସ୍‌ ଅଲିମ୍ପିକ୍ସ ପାଇଁ ମଧ୍ୟ ଟିକେଟ୍ ମିଳିଯାଇଛି।

Comments (0)
Add Comment