ମୁଖ୍ୟମନ୍ତ୍ରୀ ଭାରତୀୟ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଭୁବନେଶ୍ୱର : ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇଛି। ସେମାନଙ୍କ ସହ କଥା ହୋଇ କହିଛନ୍ତି ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ। ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୀଘ୍ର ଓଡିଶା ଆସିବାକୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି। ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ଦଳ ନିଜର କ୍ରୀଡା ନୈପୁଣ୍ୟ ଦ୍ବାରା ଦେଶର ସମଗ୍ର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଥିବାର କହିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବାର ଘୋଷଣା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଚାରି କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ଦେବାର ଘୋଷଣା କରିବା ସହ ଓଡ଼ିଶାର ଅସଂଖ୍ଯ କ୍ରୀଡାବିତଙ୍କୁ ଏହି ସଫଳତା ଉତ୍ସାହିତ କରିବବୋଲି କହିଛନ୍ତି I

Comments (0)
Add Comment