ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବିଶ୍ୱ ରେକର୍ଡ ବଞ୍ଚିତ ହେବେ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ରିକି ପଣ୍ଟିଂଙ୍କ ଏକ ରେକର୍ଡକୁ ବିରାଟ ଆଉ ଭାଙ୍ଗି ପାରିବେନି । ଅନ୍ତର୍ଜାତୀୟ ଅଧିନାୟକ ଭାବେ ରିକି ପଣ୍ଟିଂ ୪୧ଟି ଶତକ ଅର୍ଜନ କରିଛନ୍ତି । ସେହିପରି ବିରାଟ କୋହଲି ମଧ୍ୟ ଅଧିନାୟକ ଭାବେ ସମାନ ସଂଖ୍ୟାକ ଶତକ ଅର୍ଜନ କରିଛନ୍ତି । ଗତ ସେପ୍ଟେମ୍ବର ମାସରେ ବିରାଟ କୋହଲି ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ପରେ ତାଙ୍କଠାରୁ ବିସିସିଆଇ ଦିନିକିଆ ଅଧିନାୟକ ଛଡାଇ ଆଣିଥିଲା । ବର୍ତ୍ତମାନେ ସେ ଟେଷ୍ଟ ଟିମ୍‌ ଅଧିନାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏପରି ପରିସ୍ଥିତିରେ ସେ ଆଉ କେବେ ଅଧିନାୟକ ଭାବରେ ୪୨ ଶତକ ଅର୍ଜନ କରିପାରିବେ ନାହିଁ । ତେଣୁ ପଣ୍ଟିଂଙ୍କ ସହ ମିଳିତ ଭାବେ ସେ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ପାଖରେ ଏହି ରେକର୍ଡ ଭାଙ୍ଗିବାକୁ ପର୍ଯ୍ୟାପ୍ତ ସମୟ ଥିଲା । କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ । ବିରାଟ ତାଙ୍କର ଅନ୍ତର୍ଜାତୀୟ ଶତକ ୨୩ ନଭେମ୍ବର ୨୦୧୯ ବାଂଲାଦେଶ ବିପକ୍ଷରେ କୋଲକତାରେ ଅର୍ଜନ କରିଥିଲେ । ଏହାପରଠାରୁ ଦୀର୍ଘ ୨ ବର୍ଷ ହେଲାଣି ତାଙ୍କର ଶତକ ମରୁଡି ରହିଛି । କୋହଲି ଆଗକୁ ଭାରତୀୟ ଦଳର ଅଧିନାୟକ ହେବା ଆଉ ସମ୍ଭବ ନୁହେଁ । କାରଣ ଦଳରେ ବହୁ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ କି ଦଳର ନେତୃତ୍ୱ ନେବାକୁ ସକ୍ଷମ । ଏଭଳି ପରିସ୍ଥିତିରେ ଦୁଇଜଣ ମହାନ ଅଧିନାୟକ ମିଳିତ ଭାବେ ଏହି ବିଶ୍ୱ ରେକର୍ଡର ଅଧିକାରୀ ହୋଇ ରହିବେ ।

Comments (0)
Add Comment