ଆଇସିସି ଟେଷ୍ଟ ମାନ୍ୟତା : କୋହଲିଙ୍କୁ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ : ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲି ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ ପରେ କୋହଲି ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ୨ ସ୍ଥାନ ଲମ୍ଫ ଦେଇଛନ୍ତି । ଅଧିନାୟକ ଭାବରେ ତାଙ୍କର ଶେଷ ଟେଷ୍ଟରେ ଭାରତୀୟ ତାରକା କୋହଲି ୨୯ ଓ ୭୯ ରନ୍‌ କରିଥିଲେ । ଭାରତ ତୃତୀୟ ଟେଷ୍ଟକୁ ୭ ୱିକେଟରେ ହରାଇ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୨ ରେ ହାରିଥିବାରୁ କୋହଲିଙ୍କ ଚମତ୍କାର ବ୍ୟାଟିଂ ପ୍ରୟାସ ବୃଥା ହୋଇଛି । କେପଟାଉନରେ ଚାଲିଥିବା ତୃତୀୟ ଟେଷ୍ଟର ଗୋଟିଏ ଦିନ ପରେ କୋହଲି ଭାରତର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରେଷ୍ଠ ୧୦ରେ କେବଳ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱିକେଟ୍‌ କିପର ରିଷଭ ପନ୍ତଙ୍କ ଅପରାଜିତ ଶତକ ତାଙ୍କୁ ୧୦ ସ୍ଥାନରୁ ୧୪ ତମ ସ୍ଥାନକୁ ଉନ୍ନୀତ କରିଛି । କେପଟାଉନରେ ପେସର ଜସପ୍ରୀତ ବୁମ୍ରାଙ୍କ ୬ଟି ୱିକେଟ୍‌ ତାଙ୍କୁ ବୋଲିଂ ଚାର୍ଟର ଶ୍ରେଷ୍ଠ ୧୦ରେ ସ୍ଥାନିତ କରିଛି । ହାମଷ୍ଟ୍ରିଂ ଆଘାତ ହେତୁ ଟେଷ୍ଟ ସିରିଜରୁ ବାଦ ପଡିଥିବା ରୋହିତ ଶର୍ମା ଷ୍ଟାର ଓପନର୍‌ ଭାବରେ ତାଙ୍କର ୫ମ ସ୍ଥାନ ବଜାୟ ରଖିଛନ୍ତି । କୋହଲିଙ୍କ ସହ ରୋହିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶ୍ରେଷ୍ଠ ୧୦ରେ କେବଳ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଟନ୍ତି ।

Comments (0)
Add Comment