ଗମ୍ଭୀରଙ୍କ ଅଧୀନରେ ଖେଳିବାକୁ ହେବ ଜାଣି ବିରାଟ ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ଆଇପିଏଲ ସମୟରେ ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ସମ୍ପର୍କ ଯଥେଷ୍ଟ ଖରାପ ହୋଇଯାଇଥିଲା। ବର୍ତ୍ତମାନ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ କ୍ରିକେଟପ୍ରେମୀମାନେ ଭୟ କରୁଛନ୍ତି ଯେ ଏହି ଦୁଇ ତାରକା ପୁଣି ମୁହାଁମୁହିଁ ହୋଇପାରନ୍ତି। ତେବେ ଏଭଳି ଭୟ ମଧ୍ୟରେ ବିରାଟ ଏବେ ନିଜର ପକ୍ଷ ସ୍ପଷ୍ଟ କରିଛନ୍ତି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ବିସିସିଆଇକୁ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଗମ୍ଭୀରଙ୍କ ସହ ହୋଇଥିବା ବିବାଦକୁ ଭୁଲି ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ କ୍ରିକେଟ୍ ଏବଂ ଦଳର ସ୍ୱାର୍ଥ ପାଇଁ ସେ ସବୁ କରିବାକୁ ପ୍ରସ୍ତୁତ ଅଛନ୍ତି। କୁହାଯାଉଛି ଯେ ଟି-୨୦ ବିଶ୍ୱକପ ପରେ ଅତୀତର ପ୍ରସଙ୍ଗକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବାର୍ତ୍ତାଳାପ ହୋଇଥିଲା। ଏହି ସମୟରେ ହୋଇଥିବା ଝଗଡ଼ାର ସମାଧାନ କରି ହାତ ମିଳାଇଥିଲେ ଗମ୍ଭୀର-ବିରାଟ I ଏବେ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ପାଇଁ ମନୋନୀତ ହୋଇଛନ୍ତି। ଏହାପୂର୍ବରୁ ରୋହିତ ଏବଂ ବିରାଟ ଶ୍ରୀଲଙ୍କା ବିପକ୍ଷ ଓଡିଆଇ ଖେଳିବେନି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନୂତନ ପ୍ରଶିକ୍ଷକଙ୍କ ଅନୁରୋଧ କ୍ରମେ ଉଭୟ ଖେଳାଳି ଓଡିଆଇ ଫର୍ମାଟରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି। ଉଲ୍ଲେଖଯୋଗ୍ୟ, ଆଇପିଏଲ୍ ୨୦୨୩ ସମୟରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ(ଏଲଏସଜି) ର ପରାମର୍ଶଦାତା ଥିଲେ ଗମ୍ଭୀର। ଏଲଏସଜିର ଖେଳାଳି ନବୀନ ଉଲ୍ ହକଙ୍କ ସହ ବିରାଟଙ୍କ ବିବାଦ ପରେ କୋହଲିଙ୍କ ସହ ଯୁକ୍ତିତର୍କ କରିଥିଲେ ଗମ୍ଭୀର। ଦୁଇ ଷ୍ଟାର କ୍ରିକେଟରଙ୍କ ମଧ୍ୟରେ ବିତର୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Comments (0)
Add Comment