ଚତୁର୍ଥ ଟେଷ୍ଟରେ ବିରାଟ-ରୋହିତ କରିପାରନ୍ତି ‘ବିରାଟ’ ରେକର୍ଡ

ଓଭାଲ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଆସନ୍ତକାଲିଠାରୁ ଓଭାଲରେ ଖେଳାଯିବ । ବର୍ତ୍ତମାନ ସିରିଜ୍‌ ୧-୧ ସ୍ଥିତିରେ ରହିଛି । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର ହେବା ପରେ ଭାରତୀୟ ଦଳ ଲର୍ଡସରେ ଜିତିଥିଲା । ଏଥି ସହିତ ଇଂଲଣ୍ଡ ଲିଡ୍ସରେ ଭାରତକୁ ପରାସ୍ତ କରି ସିରିଜକୁ ବରାବର କରିଥିଲା । ଲଣ୍ଡନ ଓଭାଲ ଗ୍ରାଉଣ୍ଡ ସ୍ପିନ୍‌ ବୋଲରମାନଙ୍କୁ ସାହାଯ୍ୟ କରିଥାଏ, ତେଣୁ ଆଶା କରାଯାଏ ଯେ ଚତୁର୍ଥ ଟେଷ୍ଟ ପାଇଁ ଅଶ୍ୱିନ୍‌ ଭାରତୀୟ ଏକାଦଶରେ ସୁଯୋଗ ପାଇପାରନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟର ସବୁଠାରୁ ସଫଳ ସ୍ପିନର ହେଉଛନ୍ତି ଭାଗବତ ଚନ୍ଦ୍ରଶେଖର, ଯିଏ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୨୩ ଟି ମ୍ୟାଚରେ ୯୫ ୱିକେଟ୍‌ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିପକ୍ଷରେ ୧୯ ଟି ଟେଷ୍ଟରେ ଅନିଲ କୁମ୍ବଲେ ୯୨ ୱିକେଟ୍‌ ନେଇଛନ୍ତି ।
ଏଥି ସହିତ ଅଶ୍ୱିନ ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ୧୯ ଟି ମ୍ୟାଚରେ ୮୮ ୱିକେଟ୍‌ ନେଇଛନ୍ତି । ଅର୍ଥାତ୍‌ ୧୨ ୱିକେଟ୍‌ ନେବା ପରେ ଅଶ୍ୱିନ ପ୍ରଥମ ଭାରତୀୟ ସ୍ପିନର ଭାବେ ଇଂଲଣ୍ଡ ବିପକ୍ଷରେ ୧୦୦ ୱିକେଟ୍‌ ନେଇପାରିବେ । ଏହା ବ୍ୟତୀତ ଚତୁର୍ଥ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି ।
ବିରାଟ କୋହଲି ଗୋଟିଏ ରନ୍‌ ସ୍କୋର କରିବା ମାତ୍ରେ ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୨୩୦୦୦ ରନ୍‌ ପୂରଣ କରିବେ । ଏହା କରି କୋହଲି ଭାରତର ତୃତୀୟ ବ୍ୟାଟ୍ସମ୍ୟାନ୍‌ ହେବେ ଯିଏକି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କ ନାମରେ ୨୩୦୦୦ କିମ୍ବା ଅଧିକ ରନ୍‌ କରିଛନ୍ତି । ସଚିନ ତେନ୍ଦୁଲକର ଏକ ନମ୍ବରରେ ଅଛନ୍ତି, ଯାହାଙ୍କର ନାମରେ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ମୋଟ ୩୪୩୫୭ ରନ୍‌ ରହିଛି । ଭାରତର ଦିୱାଲ ଭାବେ ରାହୁଲ ଦ୍ରାବିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୨୪୦୬୪ ରନ୍‌ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ମଧ୍ୟ ୧୫ ହଜାର ରନ୍‌ ପୂରଣ କରିବାକୁ ନିକଟତର ହୋଇଛନ୍ତି । ଚତୁର୍ଥ ଟେଷ୍ଟରେ ରୋହିତ ୨୨ ରନ୍‌ ସ୍କୋର କରିବା ମାତ୍ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ୧୫ ହଜାର ରନ୍‌ ପୂରଣ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍‌ ରେ ୧୪୯୭୮ ରନ୍‌ ସଂଗ୍ରହ କରିଛନ୍ତି, ଯେଉଁଥିରେ ୪୦ ଶତକ ରହିଛି ।
ଅନ୍ୟ ପକ୍ଷରେ ପେସର ବୁମରାଙ୍କୁ ମଧ୍ୟ ଏକ ବିଶେଷ ଚମତ୍କାର କରିବାର ସୁଯୋଗ ମିଳିବ । ବୁମରା ଏପର୍ଯ୍ୟନ୍ତ ଟେଷ୍ଟରେ ୯୭ ୱିକେଟ୍‌ ନେଇଛନ୍ତି । ଯଦି ଚତୁର୍ଥ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ୩ ୱିକେଟ୍‌ ପାଆନ୍ତି, ତେବେ ଟେଷ୍ଟରେ ତାଙ୍କର ୧୦୦ ୱିକେଟ୍‌ ସମାପ୍ତ ହେବ ।

Comments (0)
Add Comment