କେଏଲ ରାହୁଲ ଟେଷ୍ଟରେ ୱିକେଟ କିପିଂ କରିପାରିବେନି, କାରଣ କହିଲେ ଗମ୍ଭୀର

ନୂଆଦିଲ୍ଲୀ : ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ତାଙ୍କ ସଟ୍‌ ଚୟନ ପାଇଁ ସମାଲୋଚକଙ୍କ ସ୍କାନରରେ ରହିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖାତା ନ ଖୋଲି ଆଉଟ ହେବା ପରେ ସେ ଏବେ ପ୍ରଶଂସକଙ୍କ ଟାର୍ଗେଟରେ ଆସିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ୱିକେଟ୍‌ କିପିଂ ଦାୟିତ୍ୱ ଦେବାକୁ ବିସିସିଆଇକୁ ପରାମର୍ଶ ଦେଇଛନ୍ତି । ଅନେକ ଥର ଧଳା ବଲ କ୍ରିକେଟରେ ଭାରତ ପାଇଁ ୱିକେଟ୍‌ ପଛରେ କର୍ଣ୍ଣାଟକ କ୍ରିକେଟର ରାହୁଲ ବହୁତ ଭଲ କାମ କରିଛନ୍ତି । ଏଭଳି ପରିସ୍ଥିତିରେ ଟେଷ୍ଟ କ୍ରିକେଟରେ ସେ ମଧ୍ୟ ତାହା କରିପାରିବେ ବୋଲି ଅନେକ ପ୍ରଶଂସକ ଆଶା ରଖିଛନ୍ତି । ତେବେ ଭାରତର ପୂର୍ବତନ ଓପନର୍‌ ଗୌତମ ଗମ୍ଭୀର ଏପରି ଭାବନ୍ତି ନାହିଁ । ଗମ୍ଭୀର କହିଛନ୍ତି ଯେ ଜଣେ ଓପନର୍‌ ବ୍ୟାଟ୍ସମ୍ୟାନ୍‌ ଟେଷ୍ଟରେ ଏହା କରିପାରିବେ ନାହିଁ ।
ଷ୍ଟାର୍‌ ସ୍ପୋର୍ଟସ୍‌ ଉପରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଛନ୍ତି, ମୁଁ କେବଳ କହିପାରେ ଯେ କେ.ଏଲ୍‌ ରାହୁଲ କେବଳ ଓପନର୍‌ ଭାବରେ ଠିକ୍‌ ରହିବେ । କାରଣ ଯଦି ଜଣେ ୱିକେଟ୍‌ କିପର ୧୫୦ ଓଭର ପାଇଁ ୱିକେଟ୍‌ କିପିଂ କରନ୍ତି ଏବଂ ତା’ପରେ ତାଙ୍କୁ ମଧ୍ୟ ନୂଆ ବଲ୍‌ ଖେଳିବାକୁ ପଡିବ, ତା’ହେଲେ ତାଙ୍କ ଅବସ୍ଥା କ’ଣ ହେବ? ଏହା ପ୍ରାୟ ଅସମ୍ଭବ ଅଟେ । ଏହା ଦିନିକିଆ ଏବଂ ଟି-୨୦ କ୍ରିକେଟ୍‌ ରେ ହୋଇପାରେ, କିନ୍ତୁ ଟେଷ୍ଟ ମ୍ୟାଚ୍‌ ରେ ଆପଣଙ୍କୁ ନିୟମିତ ୱିକେଟ୍‌ କିପର ଦରକାର ବୋଲି ଗମ୍ଭୀର କହିଛନ୍ତି ।
ପୂର୍ବତନ ଓପନର୍‌ ଗମ୍ଭୀର ଆହୁରି କହିଛନ୍ତି ଯେ ଟେଷ୍ଟରେ ଜଣେ ୱିକେଟ୍‌ କିପର ଓପନିଂ କରିପାରିବେ ନାହିଁ । ସେ କହିଛନ୍ତି, ‘ଟେଷ୍ଟ ମ୍ୟାଚରେ ଆପଣଙ୍କ ୱିକେଟ୍‌ କିପର ଓପନିଂ କରିପାରିବେ ନାହିଁ । ଜଣେ କେବଳ ଗୋଟିଏ କାମ କରିପାରେ କିପିଂ ନ ହେଲେ ଓପନିଂ । ଜଣେ ଉଭୟ କାମ କରିପାରିବେ ନାହିଁ ବୋଲି ଗମ୍ଭୀର କହିଛନ୍ତି । ସେଥିପାଇଁ ମୁଁ କେ.ଏଲ୍‌ ରାହୁଲଙ୍କୁ ଆଦୌ ୱିକେଟ କିପର ହେବାକୁ ପରାମର୍ଶ ଦେବି ନାହିଁ, କାରଣ ଆପଣ ଚାହୁଁଛନ୍ତି ଯେ ସେ ନୂଆ ବଲ୍‌ ବିପକ୍ଷରେ ଅଧିକ ରନ୍‌ ସ୍କୋର କରନ୍ତୁ ଏବଂ ବର୍ତ୍ତମାନ ସେ ଟେଷ୍ଟ କ୍ରିକେଟ୍‌ରେ ନିଜକୁ ସାବ୍ୟସ୍ତ କରୁଛନ୍ତି ।

Comments (0)
Add Comment