କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ

ପୁରୀ : କଣାସରେ ବିଭିନ୍ନ ଗ୍ରାମରେ ପସିଲା ପ୍ରଥମ ବନ୍ୟା ଜଳ । ବୁଡିଲା ଦୋକନ୍ଦା ଗ୍ରାମ । ବନ୍ୟାଜଳ ଯୋଗୁ ଫୁଲିବାରେ ଲାଗିଚି ମହାନଦୀର ଶାଖା ନଦୀ ଦୟା,ମକରା,ରାଜୁଆ । କଣାସ ବ୍ଲକ ପାଇଁ ବଢିଲା ବିପଦ । ଦୁର୍ବଳ ନଦୀ ବନ୍ଧକୁ ନେଇ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ । ଚିଲିକାରେ ଜଳସ୍ତର ଉଚ୍ଚ ରହିଥିବା ଯୋଗୁ ବନ୍ୟା ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି । ଫଳରେ କଣାସ ବ୍ଲକରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଅଞ୍ଚଳବାସୀ । ଗତକାଲି ନଦୀ ପଠା ନିକଟରେ ଥିବା ଜମିରେ ବନ୍ୟାଜଳ ମାଡ଼ିଯାଇଛି । ଫଳରେ ଶହ ଶହ ଚାଷ ଜମି ଏବେ ବନ୍ୟାଜଳ ରେ ବୁଡ଼ି ରହିଚି । ପରିବା ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଣିରେ ପନିପରିବା ବୁଡ଼ି ରହିବା ଯୋଗୁ ଏହା ନଷ୍ଟ ହୋଇଯିବ । ଏଣୁ ଚାଷୀ ବିପୁଳ କ୍ଷତି ସହିବେ ବୋଲି ଅନୁମାନ କରାଯାଉଛି । ସେପଟେ ଦୋକନ୍ଦା ଗ୍ରାମରେ ବନ୍ୟାଜଳ ପ୍ରବେଶ ପରେ ଜଳ ବନ୍ଦୀ ଘେରରେ ଗ୍ରାମବାସୀ ଅଛନ୍ତି । ତେବେ ଜଳ ସ୍ତର ଉପରେ କଡ଼ା ନଜର ରଖିଛି ଜିଲା ପ୍ରଶାସନ । ଜଳ ସ୍ତର ବଢ଼ିଲେ ଲୋକ୍‌ଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଶୁଖିଲା ଓ ରକ୍ଷା ଖାଦ୍ୟ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।
ସେପଟେ ପୁରୀରେ ପୁଣି କୂଳ ଲଂଘିଛି ସମୁଦ୍ର । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସମୁଦ୍ର ଦେଖାଇଛି ତା’ର ଉଗ୍ର ରୂପ ପୁରୀ ପେଣ୍ଠକଟା ବେଳାଭୂମି ଅଞ୍ଚଳରେ । ସମୁଦ୍ରରେ ବଡ଼ ବଡ଼ ଜୁଆର ଆସୁଥିବା ବେଳେ ବେଳାଭୂମିର ବାଲି ସମୁଦ୍ର ଗର୍ଭ ଭିତରକୁ ଚାଲି ଯାଇଛି । ଯାହାକୁ ନେଇ ପେଣ୍ଠକଟାରେ ଥିବା ପାରମ୍ପରିକ ମତ୍ସ୍ୟଜୀବୀ ମାନେ ଭୟଭୀତ ହୋଇ ପଡିଛନ୍ତି । କିଛି ମତ୍ସ୍ୟଜୀବୀଙ୍କ ଡଙ୍ଗା ସମୁଦ୍ର ମଧ୍ୟକୁ ଭାସି ଯାଇଥିବାବେଳେ ମତ୍ସ୍ୟଜୀବୀ ମାନେ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ଆଣି ରଖିଛନ୍ତି । ସମୁଦ୍ରରେ ବଡ଼ ବଡ଼ ଜୁଆର ବେଳାଭୂମିରେ ମାଡ଼ ହେବା ଫଳରେ ବେଳାଭୂମିର ବାଲି ଧସି ସମୁଦ୍ର ଗର୍ଭକୁ ଚାଲିଯାଇଛି । ଫଳରେ ଚକ୍ରତୀର୍ଥ ରୋଡ଼ ବାଙ୍କିମୁହାଣ ଠାରୁ ପେଣ୍ଠକଟା ଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବେଳାଭୂମିର ଏକ ବଡ଼ ଅଂଶ ସମୁଦ୍ର ଗର୍ଭକୁ ଚାଲିଯାଇଛି । ଫଳରେ ବେଳାଭୂମିର ପ୍ରାୟ ଦୁଇ କିମି ଲମ୍ବ ପର୍ଯ୍ୟନ୍ତ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦାବି ହୋଇଛି ।
ସେପଟେ ସମୁଦ୍ର କୂଳର ପରିବେଶକୁ ସୁରକ୍ଷା ଦେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଆଇନ୍‌ ଅନୁଯାୟୀ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେହିପରି ପୁରୀ ଜିଲ୍ଲାରେ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମସ୍ତ ବିଭାଗ ସହ ଆଲୋଚନା କରିଛନ୍ତି । ସମସ୍ତ ବ୍ଲକର ବିଡିଓ, ତହସିଲଦାର, ପୋଲିସ ଓ ଜଳସେଚନ ବିଭାଗ ସତର୍କ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ।

Comments (0)
Add Comment