କାଦୁଅ ରାସ୍ତାରେ ଆମ୍ବୁଲାନ୍ସ ଫସିଯିବାରୁ ମହିଳା ରୋଗୀଙ୍କ ମୃତ୍ୟୁ

ବୌଦ୍ଧ,୨୩/୭:- ବିପର୍ଯ୍ୟସ୍ତ ରାସ୍ତା ପାଇଁ ଅହେତୁକ ବିଳମ୍ବରେ ମେଡିକାଲ ପହଁଚିଥିଲା ଆମ୍ବୁଲାନ୍ସ । ଫଳରେ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ଜଣେ ନିରୀହ ଆଦିବାସୀ ମହିଳାଙ୍କର ଅକାଳରେ ମୃତ୍ୟୁ ଘଟଥିବା ଅଭିଯୋଗ ହୋଇଛି । ଏଭଳି ଏକ ସ୍ପର୍ଶକତାର ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁନ୍ଦୁଳିଆ ପଞ୍ଚାୟତର କିରମାଖୋଲ ଗ୍ରାମରେ । ପ୍ରାପ୍ତ ଅଭିଯୋଗରୁ ଜଣାଯାଏ ଯେ ଗତକାଲି ଶନିବାର କିରମାଖୋଲ ଗ୍ରାମର ବନବାସୀ କହଁର ନାମ୍ନୀ ଜଣେ ୪୭ ବର୍ଷୀୟ ମହିଳାଙ୍କର ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ପାଇଁ ପୂର୍ବାହ୍ନ ସାଢେ ୧୦ଟାରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ସୂଚନାକୁ ଆଧାରକରି ତାଙ୍କୁ ଆଣିବାପାଇଁ ୧୦୮ ଆମ୍ବୁଲାନ୍ସ ଯାଇଥିଲା । ମାତ୍ର ବର୍ଷା ଯୋଗୁଁ କାଦୁଅ ପଙ୍କରେ ଭର୍ତ୍ତି ହୋଇଥିବା ଗୁନ୍ଦୁଳିଆ ପଞ୍ଚାୟତର ଗନସରଗୁଡି ଠାରୁ କିରମାଖୋଲ ଯାଏ ପ୍ରାୟ ୬କି.ମି ମାଟି ରାସ୍ତା ଅତିକ୍ରମକରି ଯାତାୟତ କରିବାକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଫଳରେ ଅପରାହ୍ନ ସାଢେ ୩ଟା ସମୟରେ ଅହେତୁକ ବିଳମ୍ବରେ ବୌଦ୍ଧ ମେଡିକାଲକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ବନବାସୀଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ପରିବାର ଲୋକେ ବନବାସୀଙ୍କ ମୃତ୍ୟୁ ପାଇଁ ଉକ୍ତ ବିପର୍ଯ୍ୟସ୍ତ ରାସ୍ତାକୁ ଦାୟୀ କରିଛନ୍ତି । ରାସ୍ତାର ଅବସ୍ଥା ଯୋଗୁଁ ହିଁ ତାଙ୍କୁ ଡାକ୍ତରଖାନା ଆଣିବାରେ ବହୁ ବିଳମ୍ବ ହେବାରୁ ଅକାଳରେ ତାଙ୍କର ଜୀବନ ଚାଲିଗଲା ବୋଲି କହିଛନ୍ତି । ଏ କଥା ଜଣାପଡିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ସମସ୍ତ ଗ୍ରାମକୁ ସଂଯୋଗୀକରଣ ପାଇଁ ପକ୍କାରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ଆଜିର ଏହି ଘଟଣା ସରକାରଙ୍କ ମୁଖା ଖୋଲିଦେଇଛି । ଶୋଚନୀୟ ରାସ୍ତା ପାଇଁ ବିଳମ୍ୱିତ ଆମ୍ବୁଲାନ୍ସ ସେବା ଯୋଗୁଁ ଜଣେ ନିରୀହ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିବା ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments (0)
Add Comment