ଦାରିଙ୍ଗବାଡିରେ ଶିକ୍ଷା ବିଭାଗ କର୍ମଚାରୀଙ୍କ ମନମାନୀ ତହସିଲଦାରଙ୍କ ଅଚାନକ ବାଇମାଲ ଚେକ ନାକା ପରିଦର୍ଶନ କୋଭିଡ ଡ୍ୟୁଟିରେ ଅବହେଳା,୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଦାରିଙ୍ଗବାଡି ୨୫/୭: ଦାରିଙ୍ଗବାଡି ବ୍ଲକରେ ଶିକ୍ଷା ବିଭାଗ କର୍ମଚାରୀମାନେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ପୁଣି ଅବମାନନା କରିଥିବା ଦେଖିବାକୁ ମିଳିଛି । ୫୯ ନମ୍ବର ଜାତୀୟ ରାଜପଥର କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ପ୍ରଶାସନ ତରଫରୁ ବାଇମାଲା ଚେକଗେଟରେ କରାଯାଇଥିବା ନାକାପୋଷ୍ଟର ଡ୍ୟୁଟିରେ ଥିବା ୨ଜଣ ଶିକ୍ଷକ ବିନା ଅନୁମତିରେ କାହାରିକୁ କୌଣସି ସୂଚନା ନଦେଇ ଚେକ ନାକାରୁ ଘରକୁ ଚାଲିଯାଇଥିବା ଯୋଗୁଁ ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁସାରେ ୨ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ନେଇ ଦାରିଙ୍ଗବାଡି ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି । ଡ୍ୟୁଟିରେ ଅବହେଳା କରିଥିବା ୨ ଜଣ ଶିକ୍ଷକ ହେଲେ ସୁନୀଲ କୁମାର ପ୍ରଧାନ ଓ ବିଶ୍ୱରଞ୍ଜନ ସାମନ୍ତରାୟ । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାରୁ କନ୍ଧମାଳ ଜିଲ୍ଲା ଭିତରକୁ ଗଳା ବାଟଦେଇ ଅନେକ ଲୋକ ପଶି ଆସୁଥିବା କାରଣରୁ କିଛିଦିନ ତଳେ ବାଇମାଲା ଯାଞ୍ଚ କଡାକଡି ପାଇଁ ସେଠାରେ ଚେକନାକା ପୋଷ୍ଟ କରାଯାଇ ୩ଟି ଶିଫ୍ଟ ଗୋଟିଏ ସକାଳ ୬ରୁ ଦିନ ୨ଟା ଯାଏଁ ଡ୍ୟୁଟି ସମୟସୀମା ରହିଥିବାବେଳେ ଦିନ ୨ରୁ ରାତି୧୦ ରାତି ଓ ୧୦ଟା ରୁ ସକାଳ୬ । ଅବକାରୀ ବିଭାଗ ବନ ବିଭାଗ ଓ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ମିଳିତ ଭାବରେ ତଦାରଖ ଦାୟତ୍ୱ ଦିଆଯାଇଛି । ତେବେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ତହସିଲଦାର ନୀତିଶ କୁମାର ତ୍ରିପାଠୀ ଅଚାନକ ଭାବେ ବାଇମାଲ ଠାରେ ପହଞ୍ଚିଥିବା ବେଳେ ଦିନ ୨ରୁ ରାତି ୧୦ ଟା ଯାଏଁ ଡ୍ୟୁଟିରେ ଥିବା ୨ଜଣ ଶିକ୍ଷକ ସେଠାରେ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ । ବିନାଅନୁମତିରେ ଡ୍ୟୁଟି ସ୍ଥାନ ଛାଡିଚାଲି ଯାଇଥିବାରୁ ୨ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ତହସିଲଦାରଙ୍କ ଏହି ଗସ୍ତ ବେଳେ ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିିକ ଓ ଦାରିଙ୍ଗବାଡି ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ପ୍ରକାରେ ଏହି ଭଳି ଭାବେ ଦାରିଙ୍ଗବାଡି ଶିକ୍ଷା ବିଭାଗର ଜଣେ କର୍ମଚାରୀଙ୍କୁ ଦେହ ଅସୁସ୍ଥ ହେବାରୁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ତାଙ୍କୁ ହୋମକ୍ୱାରେଣ୍ଟାଇନରେ ରହିବାପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ନିର୍ଦ୍ଦେଶକୁ ଅବମାନନା କରି ନିଜ ଇଚ୍ଛାରେ ଦାରିଙ୍ଗବାଡିର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରିଥିବାବେଳେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଦାରିଙ୍ଗବାଡି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ ଏବଂ ଜଣେ ସହକାରୀ କର୍ମଚାରୀ ପ୍ରାଣତୋଷ ସାହୁ ଜିଲ୍ଲା ପ୍ରଶାସନର ନିୟମକୁ ଅବମାନନା କରି ରେଡ ଜୋନ ଜିଲ୍ଲାକୁ ଯାଇ ଫେରିବା ବେଳେ ଧରା ପଡିବାରୁ ସେମାନଙ୍କୁ ବର୍ତମାନ ୨୧ ଦିନ ପାଇଁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହିଭଳି ଭାବେ ଦାରିଙ୍ଗବାଡିରେ ପ୍ରଶାସନର ସମସ୍ତ ନିର୍ଦ୍ଦେଶ ଗୁଡିକୁ ମୁଖ୍ୟତଃ ଶିକ୍ଷା ବିଭାଗର କର୍ମଚାରୀମାନେ ଭଙ୍ଗ କରୁଥିବାରୁ ଶିକ୍ଷା ବିଭାଗ ଭଳି ଏକ ସମ୍ମାନୀୟ ବିଭାଗର କର୍ମଚାରୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି ।

Comments (0)
Add Comment