ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତିରେ ସେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅବସର ବେଉରିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ତାଙ୍କ ପତ୍ନୀ ତୃପ୍ତି ସୂଚନା ଦେଇଛନ୍ତି । ଅବସର ବେଉରିଆ ଜାପାନ,ରୁଷିଆ,ଆମେରିକା,ୟୁଏଇ,ମ୍ୟାନମାର,ଶ୍ରୀଲଙ୍କା ଓ ମାଡାଗାସ୍କରରେ ଥିବା ଭାରତୀୟ ଦୂତାବାସରେ କାମ କରିଛନ୍ତି । ସେ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କାରରେ ୧୯୯୯ ମସିହା ସେପ୍ଟେମ୍ବରରୁ ୨୦୦୧ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରଦୂତ ଭାବେ କାମ କରିଥିଲେ । ଅଧିକାଂଶ ସମୟରେ ବିଭିନ୍ନ ଦେଶ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଅବସର ବେଉରିଆ ଭାରତୀୟ ପ୍ରତିନିଧି ଦଳ ସହ ସାମିଲ ହୋଇଥିଲେ । ଭାରତୀୟ ବିଦେଶ ସେବାରେ ଯୋଗଦେବା ପୂର୍ବରୁ ସେ ବ୍ୟାଙ୍କ ଅଧିକାରୀ ଏବଂ ଅଧ୍ୟାପକ ଭାବେ କାମ କରିଥିଲେ । ରେଭେନ୍ସା କଲେଜରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଅବସର ପରେ ସେ ଓଡିଆ ଓ ଇଂରାଜୀ ଖବରକାଗଜ ପାଇଁ ସ୍ତମ୍ଭକାର ଭାବେ କାମ କରୁଥିଲେ । ଏଥିସହିତ ବିଭିନ୍ନ ସାମାଜିକ କାମରେ ଜଡିତ ରହିଥିଲେ । ସଂସ୍କୃତି ସୁରକ୍ଷା ଦିଗରେ ମଧ୍ୟ ସେ ଅନେକ କାମ କରିଛନ୍ତି । ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ରିଜିଓନାଲ ମ୍ୟୁଜିୟମ ଅଫ୍‌ ନାଚୁରାଲ ହିଷ୍ଟ୍ରି ପ୍ରତି ମଧ୍ୟ ତାଙ୍କର ବହୁତ ଅବଦାନ ରହିଛି । ଅବସର ବେଉରିଆଙ୍କ ଦୁଇ ଝିଅ ଆମେରିକାରେ ଅଛନ୍ତି ।

Comments (0)
Add Comment