ନୂଆଦିଲ୍ଲୀ : ଯେକୌଣସି ଏକ ଦେଶର ବିକାଶ ବା ଅଭିବୃଦ୍ଧି ପାଇଁ କେତେକ ସାମାଜିକ ସଙ୍କେତକ ବା ଇଣ୍ଡିକେଟର ରହିଥାଏ । ତନ୍ମଧ୍ୟରୁ ମୁଖ୍ୟ ହେଉଛି ସ୍ୱାସ୍ଥ୍ୟ ସେବା । ଯେଉଁ ଦେଶର ସ୍ୱାସ୍ଥ୍ୟ ସେବା ଯେତେ ଉନ୍ନତ, ସେ ଦେଶର ବିକାଶ ମଧ୍ୟ ତଦନୁସାରେ ହୋଇଥାଏ । ଭାରତରେ ମେଡ଼ିକାଲ୍ ଶିକ୍ଷାକୁ ସୁଦୃଢ଼ କରିବା, ମେଡ଼ିକାଲ୍ କଲେଜଗୁଡ଼ିକୁ ଅନୁମୋଦନ ପ୍ରଦାନ କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଲାଗି ଏମ୍ସିଆଇ ପ୍ରତିଷ୍ଠା କରାଯାଇଥିଲା । ଏମ୍ସିଆଇ ଦୀର୍ଘ ୫୦ରୁ ଊଦ୍ଧ୍ୱର୍ ବର୍ଷ ଧରି କାର୍ଯ୍ୟ କରିବା ପରେ ଦେଶରେ ଇତିମଧ୍ୟରେ ୫୦୦ରୁ ଅଧିକ ମେଡ଼ିକାଲ୍ କଲେଜ୍ ପ୍ରତିଷ୍ଠା ହୋଇସାରିଲାଣି । ଦେଶରେ ଉଭୟ ସରକାରୀ ଓ ବେସରକାରୀ ବା ଘରୋଇ ମେଡ଼ିକାଲ୍ କଲେଜ୍ ରହିଛି । ଷ୍ଟେଟ୍ ମେଡ଼ିକାଲ୍ କଲେଜଗୁଡ଼ିକୁ ସରକାର ଯେଭଳି ଅର୍ଥ ଯୋଗାଇ ଦେଉଛନ୍ତି ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ ପାଇଁ ମଧ୍ୟ ସରକାର ସମାନ ପରିମାଣର ଅର୍ଥ ବ୍ୟବସ୍ଥା ରଖିବା ଉଚିତ୍ ।
ପ୍ରାଇଭେଟ୍ ଓ ସରକାରୀ କଲେଜ୍ ଭିତରେ ସରକାର କୌଣସି ପ୍ରଭେଦ ନରଖନ୍ତୁ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଲୋକସଭାରେ ନ୍ୟାସନାଲ୍ ମେଡ଼ିକାଲ୍ କମିଶନ ବିଲ୍-୨୦୧୯ ଉପସ୍ଥାପନ କରିଛନ୍ତି । ଏହା ଉପରେ ଆଲୋଚନା ଚାଲିଥିଲା ବେଳେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ତାଙ୍କର ବକ୍ତବ୍ୟ ରଖି ଉପରୋକ୍ତ ପ୍ରସ୍ତାବ ଦେଇଥିଲେ । ଡଃ ସାମନ୍ତ କହିଥିଲେ ଯେ, ସରକାରୀ ସଂସ୍ଥା ହେଉ, ବା ବେସରକାରୀ, ଯେକୌଣସି ଏକ ସଂସ୍ଥା ୫୦/୬୦ ବର୍ଷ ଧରି କାର୍ଯ୍ୟ କରିବା ପରେ ତା’ର କାର୍ଯ୍ୟଧାରାରେ କିଛି ନା କିଛି ବ୍ୟତିକ୍ରମ ଓ ବିଚ୍ୟୁତି ଘଟିଥାଏ । ଏମ୍ସିଆଇରେ ସେହିଭଳି ବିଚ୍ୟୁତି ଘଟିଥିବା ସରକାର ଲକ୍ଷ୍ୟ କରିଛନ୍ତି । ସେଥିରେ ସୁଧାର ଆଣିବା ପାଇଁ ସରକାର ଠିକ୍ ସମୟରେ ହସ୍ତକ୍ଷେପ କରିବାକୁ ଯାଇ ଏଭଳି ଏକ ବିଲ୍ ଆଣିଛନ୍ତି । ଯାହାକୁ ସ୍ୱାଗତଯୋଗ୍ୟ । ଏହି ବିଲକୁ ମୁଁ ବିଜୁ ଜନତା ଦଳ ତରଫରୁ ସମର୍ଥନ କରୁଛି । ଦେଶବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ବ୍ୟାପକ ରୂପରେ ସରକାର ଏହି ବିଲ୍ ଆଣିଛନ୍ତି ବୋଲି ଆମର ବିଶ୍ୱାସ । ପ୍ରସଙ୍ଗକ୍ରମେ ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ସ୍ଥିତି କଥା ଉଲ୍ଲେଖ କରି ଡଃ ସାମନ୍ତ କହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ଓ ବଳିଷ୍ଠ ନେତୃତ୍ୱ ଯୋଗୁଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉଲ୍ଳେଖନୀୟ ଉନ୍ନତି ଘଟିଛି । ପ୍ରଥମେ ରାଜ୍ୟରେ ୩ଟି ସରକାରୀ କଲେଜ୍ ଥିଲା । ଏବେ ତାହା ସାତରେ ପହଞ୍ଚିଛି । ଆହୁରି ୬ଟି ମେଡ଼ିକାଲ୍ କଲେଜ୍ ଖୋଲିବାକୁ ଯାଉଛି । ପ୍ରାଇଭେଟ୍ ସେକ୍ଟରେ ୩ଟି ମେଡ଼ିକାଲ୍ କଲେଜ୍ ଅଛି । ରାଜ୍ୟର ପ୍ରତ୍ୟେକ କୋଣରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକାଧିକ ଯୁଗାନ୍ତକାରୀ ଯୋଜନା ପ୍ରଚଳନ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଶିଶୁ ସୁରକ୍ଷା ଯୋଜନା, ଆମ କ୍ଳିନିକ୍ ସୁନେତ୍ର ଯୋଜନା ଏହିଭଳି ବହୁତ ଯୋଜନା ଓ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରଚଳନ କରିଛନ୍ତି । ଯେଉଁଥିରୁ ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରୁଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କଥା ମଧ୍ୟ ଡଃ ସାମନ୍ତ ଉଲ୍ଲେଖ କରିଥିଲେ । ଏହି ଯୋଜନା ପାଇଁ ସେ ପ୍ରଧାନମନ୍ତ୍ରୀ ତଥା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ୨୦୦୯ରୁ ଜଶପାଲ୍ କମିଟି, ନ୍ୟାସନାଲ୍ ନଲେଜ୍ କମିଶନ ରିପୋର୍ଟ ଏବଂ ପରେ ୨୦୧୬ରୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟ,ଏକ୍ସପର୍ଟ କମିଟି ରିପୋର୍ଟ ଏପରିକି ନୀତି ଆୟୋଗ ସମସ୍ତେ ଏକଥା କହିଛନ୍ତି ଯେ, ମେଡ଼ିକାଲ୍ ଶିକ୍ଷାରେ ପରିବର୍ତ୍ତନ ଆସିବା ଦରକାର । ଏ ଦୃଷ୍ଟିରୁ ଆଗତ ହୋଇଥିବା ନ୍ୟାସନାଲ୍ ମେଡ଼ିକାଲ୍ କମିଶନ ବିଲ୍ର ବିଶେଷ ଗୁରୁତ୍ୱ ରହିଛି । ଏବେ ଦେଶରେ ୫୦୦ରୁ ଅଧିକ ମେଡ଼ିକାଲ୍ କଲେଜ୍ ଅଛି । ପ୍ରତି ବର୍ଷ ଲକ୍ଷାଧିକ ଡାକ୍ତର ବାହାରୁଛନ୍ତି । ଭାରତରେ ସୃଷ୍ଟି ହେଉଥିବା ଡାକ୍ତର ବିଶ୍ୱର ସବୁଠୁ ଶ୍ରେଷ୍ଠ ଡାକ୍ତର । ବିଶ୍ୱ ଦରବାରରେ ସେମାନଙ୍କର ଉଚ୍ଚ ପ୍ରଶଂସା ଓ ଖ୍ୟାତି ରହିଛି । ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ସ୍ୱାସ୍ଥ୍ୟ ସମସ୍ୟା ବହୁମାତ୍ରାରେ ବଢ଼ିଗଲାଣି । ଗାଁ ଗାଁରେ, ଘରେ ଘରେ ଡାଏବେଟିସ୍ ଓ କ୍ୟାନସର ଭଳି ରୋଗ ବ୍ୟାପିଗଲାଣି । ଲୋକମାନେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାକୁ ବାଧ୍ୟ ହେଲେଣି । ବର୍ତ୍ତମାନ ସମୟରେ ଲୋକମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ କିଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏହା ଏକ ଭଲ ଲକ୍ଷଣ । ଦେଶରେ ଡାକ୍ତରଙ୍କ ଉପଲବ୍ଧତା ମଧ୍ୟ ଭଲ ସ୍ଥିତିରେ ରହିଛି । ଏସବୁ ଭିତରେ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ଗୁଡ଼ିକର ସମସ୍ୟା ମଧ୍ୟ ରହିଛି । ପ୍ରାଇଭେଟ୍ ମେଡ଼ିକାଲ ସେକ୍ଟରରେ ୫୦୦ ଗେଜେଟ୍ ଜେନେରାଲ୍ କଲେଜ୍କୁ ଚଳାଇବା ସବୁଠୁ କଠିନ କାର୍ଯ୍ୟ । ମେଡ଼ିକାଲ୍ କଲେଜ୍ କ୍ଷେତ୍ରରେ ସରକାର ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମ୍ସ ଦୁଇ କୋଟି ଟଙ୍କା ଖର୍ଚ୍ଚ କରୁଛି । କିନ୍ତୁ ପ୍ରାଇଭେଟ୍ କଲେଜଗୁଡ଼ିକ ସାରା ଦେଶରେ ୧୨ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ପାଉଛନ୍ତି । ବହୁତ ପ୍ରତିବନ୍ଧକ ଓ ସମସ୍ୟା ମଧ୍ୟରେ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜଗୁଡ଼ିକ କାର୍ଯ୍ୟ କରୁଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର । ଷ୍ଟେଟ୍ ମେଡ଼ିକାଲ୍ କଲେଜଗୁଡ଼ିକୁ ସରକାର ଯେତିକି ପଇସା ଦେଉଛନ୍ତି ପ୍ରାଇଭେଟ୍ କଲେଜ୍ ପାଇଁ ମଧ୍ୟ ସେତିକି ପଇସା ଧାର୍ଯ୍ୟ କରିବା ଉଚିତ୍ । ସରକାର ମେଡ଼ିକାଲ୍ ଶିକ୍ଷାର ଆହୁରି ଅଧିକ ପ୍ରସାର କରନ୍ତୁ । ଏହାକୁ ଆଗକୁ ବଢ଼ାନ୍ତୁ; କିନ୍ତୁ ପ୍ରାଇଭେଟ୍ ଓ ସରକାରୀ ମେଡ଼ିକାଲ୍ କଲେଜ୍ ମଧ୍ୟରେ କିଛି ପ୍ରଭେଦ ନରଖନ୍ତୁ ବୋଲି ଡଃ ସାମନ୍ତ ତାଙ୍କ ବକ୍ତବ୍ୟରେ ସରକାରଙ୍କୁ ଅନୁରୋଧ କରିଥିଲେ ।