ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

ଘୁ.ଉଦୟଗିରୀ: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସଭାଗୃହଠାରେ ଗରୁମା ଗୁରୁଜୀ,ସ୍କୁଲ୍‌ ପରିଚାଳନା କମିଟି ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିଛବିଳୟ ଫୁଲ ଚନ୍ଦନ, ଧୂପ ଆଳତି ଦେଇ ପୂଜାର୍ଚ୍ଚନା କରିବା ପରେ ସମୀକ୍ଷା ପ୍ରିୟଦର୍ଶିନୀ ପାଢ଼ୀ,ମଧୁସ୍ମିତା ସେଠି ଗୁରୁବନ୍ଦନା ସଙ୍ଗୀତ ଗାନକରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ଅର୍ଚ୍ଚନା ମଲ୍ଲିକ,ପ୍ରଜ୍ଞା କୁମାରି ପାଳ, ଶୁଭମ୍‌ ରଥ, ଓମ୍‌ ପ୍ରକାଶ ପ୍ରଧାନ ଗୁରୁମା ଓ ଗୁରୁଜୀ ଏବଂ ଅତିଥିମାନଙ୍କୁ ପୂଜା କରି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଛାତ୍ରଛାତ୍ରୀ ମାନେ ଗୁରୁ ଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟରେ ଗୁରୁ ହିଁ ଅନ୍ଧକାରକୁ ଦୂର କରି ଆଲୋକ ଦେଖାନ୍ତି, ଗୁରୁ ହିଁ ଉତ୍ତମ ମାର୍ଗଦର୍ଶକ,ଗୁରୁ ହିଁ ଭଗବାନଙ୍କ ସଦୃଶ, ଗୁରୁଙ୍କ ଆଶିର୍ବାଦରେ ଜଣେ ଶିଷ୍ୟ ଅନେକ ଜ୍ଞାନ ଏବଂ ସମ୍ମାନର ଅଧିକାରୀ ହେବା ସହ ଭଲ ମଣିଷଟିଏ ହୋଇପାରେ ବୋଲି କହିଥିଲେ ।

ସ୍କୁଲର ପ୍ରଧାନ ଆଚାର୍ଯ୍ୟ ମାଧବାନନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଲକ ପଟ୍ଟନାୟକ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ପରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତଥା ଅବସରପ୍ରାପ୍ତ ଶିକ୍ଷକ ବଳରାମ ସାହୁ ଚଳିତ ବର୍ଷ ୧୦ ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ଟପ୍ପର ହୋଇଥିବା ସୁଶ୍ରୀ ତନୁଶ୍ରୀ ଆଚାର୍ଯ୍ୟଙ୍କୁ ଉତ୍ସାହିତ କରିବା ପାଇଁ ନିଜ ପାଣ୍ଠିରୁ ୫୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ ସମୀର କୁମାର୍‌ ପାଢ଼ୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ୍‌ କମିଟି ସଭାପତି ରାଜେନ୍ଦ୍ର ମହାପାତ୍ର ମଧ୍ୟ ନିଜ ବକ୍ତବ୍ୟରେ ଗୁରୁ ଦିବସର ଓ ଛାତ୍ର ଛାତ୍ରୀଙ୍କ ଜୀବନରେ ଗୁରୁଙ୍କ ଗୁରୁତ୍ୱ ବିଷୟରେ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ୍‌ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Comments (0)
Add Comment