ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ “ମୁଁ ବି ମିତା’ର ଶୁଭାରମ୍ଭ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ରାଜ୍ୟରେ ନୂତନ ମତଦାତା ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବୁଥ ସ୍ତରୀୟ ଅଧିକାରୀ ମିତାକୁ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମର ବ୍ୟାପକ ରୂପାୟନ ପାଇଁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମୁଁ ବି ମିତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଆଜିର ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଲିନା ପ୍ରଧାନ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ୱିନି ମେହେର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଡେପୁଟି କଲେକ୍ଟର ନିର୍ବାଚନ ଯଶସ୍ୱିନୀ ପୃଥାଳଙ୍କ ତତ୍ତ୍ୱାବଧାନରେରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ, ଅଧ୍ୟାପକ ଏବଂ ଅଧ୍ୟାପିକା ଯୋଗଦେଇଥିଲେ । ଶ୍ରୀମତୀ ପୋଥାଳ ସ୍ୱାଗତ ସମ୍ଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ନୂତନ ମତଦାତା ମାନଙ୍କୁ ସମ୍ବୋଧିତ କରି ଅତିଥି ମାନେ ସେମାନଙ୍କ ଗୁରୁଦାୟିତ୍ୱ ବୁଝାଇବା ସହ ଆସନ୍ତା ନିର୍ବାଚନ ପ୍ରକ୍ରିୟାରେ ସେମାନଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଭାରତ ଭଳି ବିଶ୍ୱର ସର୍ବ ବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରରେ ସଫଳ ନିର୍ବାଚନ ପାଇଁ ମତଦାନର ପ୍ରତିଶତ ବଢାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ସବୁ ମିତାମାନଙ୍କୁ ସମର୍ପଣର ସହିତ ନିଜର କର୍ତ୍ତବ୍ୟ କରି ଗଣତନ୍ତ୍ରକୁ ସଫଳ କରିବା ପାଇଁ ଉତ୍ସାହିତ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମୁଁ ବି ମିତା ଲୋଗୋ ଥିବା ଟୋପି ଓ ବ୍ୟାଜ ପ୍ରଦାନ କରାଯାଇଥିଲା । ଭିଜ୍ୟୁଆଲ ମାଧ୍ୟମରେ ଛାତ୍ରୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ବନ୍ଧରେ ବୁଝାଇ ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।