ମହାନଦୀ ବନ୍ୟାକୁ ନେଇ ବଡ କଥା କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର- ମହାନଦୀରେ ବନ୍ୟା ଜଳ ବଢ଼ିବାରେ ଲାଗିଛି। ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଦେଇଛନ୍ତି ଏହି ସୂଚନା।
ସେ କହିଛନ୍ତି, ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି। ଏବେ ପାଗ ପ୍ରାୟତଃ ଶୁଖିଲା ଅଛି। କାଲି ଦୁଇ/ତିନୋଟି ଜିଲ୍ଲାରେ ଅଳ୍ପ ବର୍ଷା ହେବ। ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁରରେ ସ୍ୱଳ୍ପ ବୃଷ୍ଟି ହେବ। ତେଣୁ ବିପଦ ଟଳିବା ଆରମ୍ଭ କଲାଣି। କେବଳ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ମହାନଦୀରେ ୮ ଲକ୍ଷ ୬୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକକୁ ଆଲର୍ଟ କରାଯାଇଛି। ଯାଜପୁରରେ ସର୍ବାଧିକ ଘାଇ ସୃଷ୍ଟି ହୋଇଛି।
ରାଜସ୍ୱ ମନ୍ତ୍ରୀ କହିଛନ୍ତି, ବନ୍ୟା ପାଣି କମିବା ପର୍ଯ୍ୟନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିଲେ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ, ବିପଦ ଟଳିଯିବ ବୋଲି ସେ ଲୋକଙ୍କୁ ଅପିଲ କରିଛନ୍ତି।
ସମୀକ୍ଷା ପରେ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟାରେ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଆଉ ୧୫ଟି ଜିଲ୍ଲା ବିପଦମୁକ୍ତ ଅଛନ୍ତି। ୧୫ଟି ଜିଲ୍ଲାର ୫୭ଟି ବ୍ଲକ୍‌ର ୪୪୬ ପଞ୍ଚାୟତ, ୧୩୬୨ ଗାଁ ଓ ୧୧ ପୌରାଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ମୋଟ୍‌ ୭ ଲକ୍ଷ ୯୧ ହଜାର ୮୪୬ ଲୋକ ପ୍ରଭାବିତ ହୋଇଛନ୍ତି। ୨ ଲକ୍ଷ ୬୮ ହଜାର ୯୪୩ ଜଣ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବନ୍ୟା ଯୋଗୁ ୨୧ ହଜାର ୩୮୦ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୦୦ଟି ଘର ଭାଙ୍ଗିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୪୭ଟି ରିଲିଫ୍‌ ସେଣ୍ଟର ଖୋଲାଯାଇଛି।
ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍‌ ଖୋଲା ଯାଇଛି। ସକାଳେ ୧୦ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ଆଉ ୨ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ଏବେ ଜଳଭଣ୍ଡାରର ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ପ୍ରଭାବରେ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୪.୧୦ ଫୁଟ ରହିଛି।

Comments (0)
Add Comment