ହରଭଙ୍ଗା: ରାଜ୍ୟରେ ଖରା ଋତୁ ପୂର୍ବରୁ ପ୍ରଚଣ୍ଡ ଖରା ହେବା ଦିନଠୁ ଲୋକଙ୍କ ଚିନ୍ତା ବଢିଛି । ଉତ୍ତାପ ୩୮ ଡିଗ୍ରି ପର୍ଯ୍ୟନ୍ତ ଗଲାଣି । ହୋଲିଠୁ କିଛି ଦିନ ହେଲା ପାଗ ଟିକେ ମେଘୁଆ ଥିଲା ଏବଂ ତାପ କମିଥିଲା । ହେଲେ ଆଜିଠୁ ପୁଣି ଖରା ବଢିବା ଆରମ୍ଭ ହୋଇଛି ଏବଂ ଆଗକୁ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ପ୍ରତିବର୍ଷ ଖରା ଦିନ ଆସିଲେ ହିଁ ସରକାର ପାଣିକୁ ନେଇ ତତ୍ପରତା ଦେଖାନ୍ତି । ତା ପୂର୍ବରୁ କେବେବି ପାଣି ସମସ୍ୟା ନିରାକରଣ ଦିଗରେ ପଦକ୍ଷେପ ନିଅନ୍ତି ନାହିଁ । ଫଳତଃ,ସ୍ଥିତି ଉତ୍କଟ ହୋଇଥାଏ ଏବଂ ଲୋକେ ଦହଗଞ୍ଜ ହୋଇଥାନ୍ତି । ଏବର୍ଷ ବି ସେହି ସ୍ଥିତି । ଗାଁ ଠୁ ସହର ଯାଏଁ ପିଇବା ପାଣିର ଚିନ୍ତା ଲୋକଙ୍କୁ ଘାରିଲାଣି । ସରକାର ପିଇବା ପାଣି ପାଇଁ ବିଭିନ୍ନ ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ତୃଣମୂଳ ସ୍ତରରେ ଥିବା ବିଭଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଲୋକେ ମୁନ୍ଦେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏଭଳି ସମସ୍ୟା ଦେଖାଦେଇଛି ହରଭଙ୍ଗା ବ୍ଲକର ଉପାନ୍ତ ଅଞ୍ଚଳ କୁମାରୀ ଗ୍ରାମର ହରିଜନ ସାହିରେ ।
ଉକ୍ତ ସାହିରେ ବିଭାଗ ପକ୍ଷରୁ ୪ ବର୍ଷ ପୂର୍ବେ ପାନୀୟ ଜଳ ସୁବିଧା ନେଇ ପାଇପ ବିଛାଠୁ ଆରମ୍ଭ କରି ଷ୍ଟାଣ୍ଟ ପୋଷ୍ଟ ସହ ସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ସରିଛି । ତେବେ ବିଭଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ବିଭିନ୍ନ ସ୍ଥାନରେ ପାଇପ ଫାଟିବା, ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । କୁମାରୀ ଜଳ ଯୋଗାଣ ଦାୟିତ୍ୱରେ ଥିବା ଜୈନିକ କର୍ମଚାରୀଙ୍କ ମନଇଛା ପାଣି ଦେଉଥିବା ବେଳେ ଜନସାଧାରଣ ପାଣି ନେବାକୁ ହେଲେ କିଛି ଅର୍ଥ ହାତଗୁଂଜା ଦେଲେ ପାଣି ମିଳୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ବର୍ତ୍ତମାନ ଟାଣ ଖରା ସମୟରେ କୁମାରୀ ଗ୍ରାମର ହରିଜନ ସାହି ବାସିନ୍ଦା ଗୋଟିଏ ନଳକୂପରେ ୩୦ପରିବାର ନିର୍ଭର କରୁଥିବା ସହିତ ବେଳେ ବେଳେ ନିକଟସ୍ଥ ପୋଖରୀରୁ ଦୂଷିତ ପାଣି ପିଇବାକୁ ପଡୁଛି ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି । ପାଣି ସମସ୍ୟା ନେଇ ପୂର୍ବରୁ ସରପଞ୍ଚଠୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ୍ୟ ଫଳଶୂନ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ଜେନାଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ଉପରେ ପଚାରି ବୁଝିବି ବୋଲି କହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କୁମାରୀ ହରିଜନ ସାହିକୁ ଜଳଯୋଗାଣ କରିବାକୁ ସାହିର ପ୍ରମୁଖ ବ୍ୟକ୍ତି ଦାବୀ କରିଛନ୍ତି!