ଆମନ୍ତ୍ରିତ ଅତିଥି ଓ ସାମ୍ବାଦିକଙ୍କ ଗହଣରେ ନୂଆ ଖାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସମ୍ବଲପୁର:ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ଦିନ ଆଜି ସ୍ଥାନୀୟ ସାଂସଦ ରୂପେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପ୍ରବାସରେ ଅଛନ୍ତି।‌ ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କ ମନ୍ଦିରରେ ବିଭିନ୍ନ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବାହାରୁ ଆସିଥିବା ଅନେକ ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନୂଆଁଖାଇ ପ୍ରସାଦ’ ଗ୍ରହଣ କରିଥିଲେ । ବାହାରୁ ଆମନ୍ତ୍ରିତ ଅତିଥିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ଇତିହାସ, ପର୍ଯ୍ୟଟନ ସହ ଏଠାରେ ଥିବା ବିଭିନ୍ନ ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀପ୍ରଧାନ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ଏଥିପାଇଁ ଆଜି ଐତିହାସିକ ସିନ୍ଦୁରପଙ୍କ ଅଞ୍ଚଳକୁ ଆସିଥିଲି । ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି । ଏଠାରେ ପ୍ରାପ୍ତ ପରିବାରର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀପ୍ରଧାନ କୃତଜ୍ଞତା ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ ‘ନୂଆଁଖାଇ’ରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ । ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ତଥା ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ । ଆଜି ଭଳି ଦିନରେ ମାଁ’ସମଲେଇଙ୍କ ମନ୍ଦିର ପରିସରରେ ଦଳୀୟ ମନ୍ତ୍ରୀ, ବିଧାୟକ, ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି । କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନୂଆଁ ଅନ୍ନର ସ୍ୱତନ୍ତ୍ରତା ରହିଛି । ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ । ଏହି ବିଶେଷ ଉତ୍ସବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟଭାବ ଭାବନା ତିଆରି କରୁ, ଏଭଳି ମାଁ’ଙ୍କ ପାଖରେ ଶ୍ରୀପ୍ରଧାନ ପ୍ରାର୍ଥନା କରିଛନ୍ତି । ମାଁ‘ ସମଲେଶ୍ୱରୀ ମନ୍ଦିର ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କ ସାଥୀରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଦିଲ୍ଲୀ ଏବଂ ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରମୁଖ ବ୍ୟକ୍ତିବିଶେଷମାନେ ନବାନ୍ନ ଗ୍ରହଣ କରିଥିଲେ ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ସୂଚନା ଦେଇଛନ୍ତି ।

Comments (0)
Add Comment