ମିଶନ ଶକ୍ତି ଅଡିଟୋରିୟମ ଓ କଲ୍ ସେଣ୍ଟରର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ବର:ଆଜି ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନ ପରିସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମିଶନ ଶକ୍ତି ବିଭାଗର କଲ୍ ସେଣ୍ଟର ଓ ଅଡିଟୋରିୟମର ଉଦଘାଟନ କରିଛନ୍ତି । ସାତ କୋଟି ଅଣଷଠି ଲକ୍ଷ ବ୍ୟୟରେ ନିର୍ମିତ ୪୦୦ ଆସନ ବିଶିଷ୍ଟ ଏହି ଅଡିଟୋରିୟମଟି ଇଡକୋ ଦ୍ବାରା ନିର୍ମାଣ କରାଯାଇଛି। ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହ ବିଭିନ୍ନ ବୈଠକ, କର୍ମଶାଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରସ୍କାର ବିତରଣ, ଏସଏଚଜି ଉତ୍ପାଦର ଲୋକାର୍ପଣ ଆଦି ସମାରୋହ ପାଇଁ ଏହା ଏକ ବୃହତ ଭିତ୍ତିଭୂମି ଯୋଗାଇବ । ଏହା ଏସଏଚଜି ଏବଂ ସେମାନଙ୍କ ମହାସଂଘଗୁଡ଼ିକ ନିମନ୍ତେ ଅତ୍ୟନ୍ତ ଲାଭକାରୀ ହେବା ସହିତ ଓଡ଼ିଶାରେ ମହିଳା ସଂଗଠନଗୁଡ଼ିକର ଅବିରତ ବିକାଶ ଏବଂ ସଶକ୍ତିକରଣରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ।
ଏତଦ୍ ବ୍ୟତୀତ ଶ୍ରୀମତୀ ପରିଡା, ମିଶନ ଶକ୍ତି ଭବନ ପରିସରରେ “ମିଶନ ଶକ୍ତି କଲ୍ ସେଣ୍ଟର”ର ଶୁଭାରମ୍ଭ ମଧ୍ୟ କରିଥିଲେ।ଏହି କଲ୍ ସେଣ୍ଟରଟି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ମିଶନ ଶକ୍ତି ବିଭାଗ ଅଧୀନରେ ପରିଚାଳିତ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ, ନୂତନ ପଦକ୍ଷେପ ଇତ୍ୟାଦି ସମ୍ବନ୍ଧରେ ତଥ୍ୟ ଯୋଗାଇବ। ଏହି କଲ୍ ସେଣ୍ଟର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ମହାସଂଘମାନଙ୍କ ପ୍ରଶ୍ନ କିମ୍ବା ଅଭିଯୋଗର ସମାଧାନରେ ସହାୟକ ହେବ ।ଏହାର ଟୋଲ୍ ଫ୍ରୀ ନମ୍ବର (୧୫୫୨୭୬) ଦିବା ୧୦.୦୦ ଘଟିକା ଠାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଦିବସରେ କାର୍ଯ୍ୟକ୍ଷମ ରହିବ ।
ମିଶନ ଶକ୍ତି ବିଭାଗର ୧୦୦ ଦିନର ସଫଳତା ଅନ୍ତର୍ଗତ ମିଶନ ଶକ୍ତି ସଦସ୍ୟାଙ୍କୁ ୧୭୫ କୋଟି ଟଙ୍କାର ସୁଧ ଫେରସ୍ତ, ୫୩୦ କୋଟି ଟଙ୍କାର ସରକାରୀ ବ୍ୟବସାୟ, ୨.୨ ଲକ୍ଷରୁ ଅଧିକ ଲକ୍ଷପତି ଦିଦି , ୭୫୦ ଉତ୍ପାଦକ ଗୋଷ୍ଠୀ ସୃଷ୍ଟି, ୧୦୦ଟି ମିଶନ ଶକ୍ତି ରିଟେଲ ମାର୍ଟ ପ୍ରତିଷ୍ଠା କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୩୪୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦେବାର ସଫଳତାର ଲକ୍ଷ୍ୟ ପୂରଣ କରିଥିବାରୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବିଭାଗର ପ୍ରୟାସ ଓ ସଂକଳ୍ପକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଏକାମ୍ର ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂ ସମେତ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିବାହୀ ଅଧିକାରୀ, ଶ୍ରୀ ଭିନୀତ ଭରଦ୍ୱାଜ, ଅତିରିକ୍ତ ସଚିବ ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ ବିଭାଗର ସମସ୍ତ ଅଧିକାରୀ ତଥା ‘ଇଡିକୋ’ର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Comments (0)
Add Comment