ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସର୍ଚ୍ଚ ଅପରେସନ ବେଳେ ଗିରଫ ହେଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ସୁରକ୍ଷାକର୍ମୀମାନେ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
ସୂଚନା ମୁତାବକ, ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି । STF, DRG ଏବଂ CRPF ଜବାନଙ୍କ ପକ୍ଷରୁ ମିଳିତ ଭାବେ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଏସ୍ପି । ତେବେ ଗିରଫ ମାଓବାଦୀମାନେ ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ରହି ଅନେକ ହିଂସାକାଣ୍ଡରେ ସାମିଲ ଥିଲେ । ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ ରହିଛି । ଗିରଫ ପରେ ସମସ୍ତ ମାଓବାଦୀଙ୍କ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସ୍ପି କହିଛନ୍ତି ।