କଟକ ବାଲିଯାତ୍ରା ପ୍ରଜ୍ଞାପନ ମେଢର ପ୍ରଦର୍ଶନ

ପୁରୀ : କଟକର ଐତିହାସିକ ବାଲିଯାତ୍ରା ପ୍ରତି ବର୍ଷ ରାସ ପୂର୍ଣ୍ଣିମାଠାରୁ ଆରମ୍ଭ ହୁଏ । ବାଲିଯାତ୍ରା ଆମ ଓଡ଼ିଆ ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଅସ୍ମିତାର ପ୍ରତୀକ । ସାଧବ ପୁଅ ବାଣିଜ୍ୟ କରି ସୁନାମ ରଟିଥିଲେ । ସେହି ମହାନ ନୌବାଣିଜ୍ୟ ପରମ୍ପରା ର ସ୍ମୃତି ବହନ କରେ କଟକର ବାଲିଯାତ୍ରା । ଏହାକୁ ଅଧିକ ଲୋକ ପ୍ରିୟ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଚଳିତ ବର୍ଷ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ଏକ ସୁଦୃଶ୍ୟ ପ୍ରଜ୍ଞାପନ ମେଢ ସହ ବିବିଧ ସାଂସ୍କୃତିକ ଦଳକୁ ସନ୍ନିବେଶିତ କରାଯାଇ ବିଭିନ୍ନ ଜିଲ୍ଲାକୁ ପ୍ରଦର୍ଶନ ପାଇଁ ପଠାଯାଇଛି । ଆଜି ଅପରାହ୍ନରେ ଶରଧାବାଲି ଠାରେ ଏହି ପ୍ରଜ୍ଞାପନ ମେଢକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସ୍ୱାଗତ କରିଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ହୁଳହୁଳି ଧ୍ୱନି ଦେଇ, ପୁଷ୍ପ ଛିଞ୍ଚି ଓ ପ୍ରଦୀପ ପ୍ରଜ୍ୱଳନ କରି ସାଧବ ପୁଅ ମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ ମାନେ ମଧ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପରେ ଏହି ପ୍ରଜ୍ଞାପନ ମେଢ଼ କୋଣାର୍କ ଓ ନିମାପଡା ଠାରେ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲା । ପୂର୍ବରୁ ପିପିଲି ଓ ସତ୍ୟବାଦୀ ଠାରେ ଏହା ପ୍ରଦର୍ଶିତ ହୋଇଥିଲା ।

Comments (0)
Add Comment