ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା କିଡ଼ନୀ ପ୍ରପୀଡ଼ିତ ନାଗରିକ ମଞ୍ଚ

ହରଭଙ୍ଗା: ସାରା ରାଜ୍ୟରେ କିଡ଼ନୀ ରୋଗ ନେଇ ଚହଳ ପଡ଼ିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତମାନଙ୍କରେ ପୀଡିତ ଥିବା କିଡ଼ନୀ ରୋଗୀ ମାନେ “କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟି’ର ସଭାପତି ଇଂ ବିକାଶ ମହାକୁଳଙ୍କ ନେତୃତ୍ୱରେ ରୋଗୀ ମାନଙ୍କ ବହୁବିଧ ସମସ୍ୟା ନେଇ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲେ । ଏଥିରେ ସଂକୁଲେଇ, ଧଳପୁର, ହରଭଙ୍ଗା, ରାମଗଡ଼ ଏବଂ ସମ୍ପୋଚ ପଞ୍ଚାୟତର କିଡନୀ ରୋଗୀମାନେ ସାମିଲ ହୋଇଥିଲେ । ସୂଚନାମତେ ଉକ୍ତ ପଞ୍ଚାୟତର ଗାଁମାନଙ୍କରେ ଲୋକେ ଦୂଷିତ ପାଣି ପିଇ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ପ୍ରଶାସନ ଅନ୍ତତଃ ପକ୍ଷେ ରୋଗୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି ହୋଇଛି । ଜିଲ୍ଲାପାଳ ମଧ୍ୟ ଉକ୍ତ ସମସ୍ୟା ଯଥାର୍ଥତା ଅନୁଭବ କରି ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି । ଯଦି ଆସନ୍ତା ଦିନରେ ଜିଲ୍ଲା ପ୍ରଶାସନ ପ୍ରତିଶୃତି ମୁତାବକ ପିଇବା ପାଣି ଏବଂ ଉପଯୁକ୍ତ ଚିକିତ୍ସାର ସୁବନ୍ଦୋବସ୍ତ କରନ୍ତି ତାହାହେଲେ ଅଞ୍ଚଳର କିଡ଼ନୀ ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହୁଅନ୍ତା ଏବଂ ଆଗକୁ ମଧ୍ୟ ରୋଗୀ ମାନଙ୍କୁ ସଂଗଠିତ ହୋଇ ସଚେତନତା କାର୍ଯ୍ୟକ୍ରମ ଜାରି ରଖି ଜଣେ ରୋଗୀ ଆଉ ଜଣେ ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବୋଲି କମିଟି ସଭାପତି ଇଂ. ମହାକୁଳ ମତପ୍ରକାଶ କରିଛନ୍ତି ।

Comments (0)
Add Comment