୫ -ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଜିଲ୍ଲା ଗସ୍ତ,ଚୌଦ୍ଵାରରେ ପ୍ରତିଷ୍ଠା ହେବ ଶିଳ୍ପ

କଟକ, (ହିପ୍ର): କଟକ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତରେ ଆଜି ବାହାରିଥିଲେ  ୫-ଟି ସଚିବ ଭି.କେ ପାଣ୍ଡିଆନ୍ ।ସକାଳ ପ୍ରାୟ ୧୦ଟାରେ ସେ ପ୍ରଥମେ ଆଠଗଡରେ ପହଞ୍ଚି  ଲୋକ ମାନଙ୍କ ସହ ମିଶିବା ସହ ଅଭିଯୋଗ ଦରଖାସ୍ତ ସଂଗ୍ରହ କରିଥିଲେ।ସ୍ଥାନୀୟ  ମିନି ଷ୍ଟାଡିୟମରେ ଆୟୋଜିତ ଜନଶୁଣାଣୀ ସଭାରେ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ ୫-ଟି ସଚିବ । ସଂଗ୍ରହ କରିଥିବା ଦରଖାସ୍ତରେ ଯେଉଁସବୁ ଦାବି ବା ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରାଯିବା ସହ ଆଠଗଡର ବିକାଶ କରାଯିବ ବୋଲି ମଧ୍ୟ  କହିଛନ୍ତି ୫-ଟି ସଚିବ । ଜନଶୁଣାଣୀ ସଭାରେ ବହୁ ସଂଖ୍ୟାରେ ମିଶନ ଶକ୍ତି ମାଆ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ମିଶନ ଶକ୍ତି ମାଆ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ସହ ହାତ ମିଳାଇବା ସହ ଭାବ ବିନିମୟ କରିଥିଲେ।ଆକାଶ ମାର୍ଗରେ ହେଲିକପ୍ଟର ଯୋଗେ ଆସିଥିବା ୫- ଟି ସଚିବ ଏଠାରୁ ନରସିଂହପୁର ଅଭିମୁଖେ ଯାଇ ସେଠାରେ ଉପସ୍ଥିତ ଥିବା ମହିଳା,ଛାତ୍ର ଛାତ୍ରୀ ଓ ଜନସାଧାରଣ ଙ୍କ ସହ ମିଶି ଥିଲେ।ସେମାନଙ୍କ ଠାରୁ ଅଭିଯୋଗ ଦରଖାସ୍ତ ଗ୍ରହଣ କରିବା ସହ ବଡ଼ମ୍ବା ର ଆରାଧ୍ୟ ଦେବୀ ମା ‘ ଭଟ୍ଟାରିକା ଏବଂ ନରସିଂହପୁର ର ଆରାଧ୍ୟା ମାଆ ପ୍ରଗଳାଙ୍କ ପୀଠର ବିକାଶ କରାଯିବ ବୋଲି ସେ କହିଥିଲେ। ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ସେହିପରି ଚୌଦ୍ଵାର ରେ ପହଞ୍ଚି ସେ ଲୋକ ମାନଙ୍କ ଠାରୁ ଅଭିଯୋଗ ଦରଖାସ୍ତ ଗ୍ରହଣ କରିବା ସହ ଚୌଦ୍ଵାର ରେ ଶିଳ୍ପ ପ୍ରତିଷ୍ଠା ସହ ଏକ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ବୋଲି କହିଥିଲେ। ତେବେ ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ କଲେଜ ଛାତ୍ର ଛାତ୍ରୀଙ୍କ ସମାବେଶରେ ଯୋଗଦେଇଥିଲେ।

Comments (0)
Add Comment