ଦଶପଲ୍ଲାକୁ ସବ୍‌ ଡିଭିଜନ ମାନ୍ୟତା, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି

ଦଶପଲ୍ଲା : ଦଶପଲ୍ଲା ବାସୀଙ୍କ ବାରମ୍ବାର ଦାବି ସତ୍ତେ୍ୱ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଦଶପଲ୍ଲାକୁ ସବ୍‌ ଡିଭିଜନର ମାନ୍ୟତା ମିଳିପାରୁନଥିବା ଅଭିଯୋଗ ହେଉଛି । ମାନ୍ୟତା ଦେବାନେଇ ସରକାରୀ ସ୍ତରରେ ଟାଳଟୁଳ ନିତି ଅବଲମ୍ବନ କରାଯାଉନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଏକ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ସୂଚନା ମିଳୁଛି । ଦଶପଲ୍ଲା ସବ୍‌ ଡିଭିଜନର ମାନ୍ୟତା ପାଇବା ପାଇଁ ସମସ୍ତ ସରକାରୀ ନିୟମକୁ ପରିପୁରଣ କରୁଥିଲେ ମଧ୍ୟ ଏହାକୁ ସରକାରୀ ଭାବେ ମାନ୍ୟତା ଦେବାକୁ ଅସୁବିଧା କେଉଁଠି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଚି । ଏଠାରେ ଜାତୀୟ ରାଜପଥ କାର୍ଯ୍ୟାଳୟ, କୃଷିବିଭାଗର ଉପଖଣ୍ଡ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ, ବିଚାର ବିଭାଗୀୟ ଅଦାଲତ, ମହନଦୀ ବଣ୍ୟପ୍ରାଣୀ ବନାଞ୍ଚଳ,ପୂର୍ତ୍ତ ଓ ଗୃହ ନିର୍ମାଣ, ମୃତ୍ତିକା ସଂରକ୍ଷଣ, ବୃତ୍ତଙ୍ଗଜଳ ସେଚନ,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ବିଦ୍ୟୁତ୍‌ ବିଭାଗ,ବନ ଉନ୍ନୟନ ନିଗମ, ପ୍ରାଣୀ ଚିକିତ୍ସାଳୟ ଆଦି ବହୁ ବିଭାଗର ଉପଖଣ୍ଡ ସ୍ତରୀୟ କାର୍ଯ୍ୟାଳୟ ଅଛି । ମାତ୍ର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଅଳ୍ପ କେତୋଟି କାର୍ଯ୍ୟାଳୟ ଖୋଲିଦେଲେ ଏହା ସବ୍‌ ଡିଭିଜନ ପାଇଁ ଉପଯୁକ୍ତ ହୋଇଯିବ । ରାଜ୍ୟ ସରକାର, ସାଧାରଣ ନିର୍ବାଚନ ପୂର୍ବରୁ ଏ ବିଷୟରେ ଗୁରୁତ୍ୱର ସହ ବିଚାର କରିବା ଉଚିତ୍‌ ବୋଲି ଦଶପଲ୍ଲାର ବହୁ ବୁଦ୍ଧିଜୀବୀ ଆଶା କରିଛନ୍ତି ।

Comments (0)
Add Comment