୩୦ରୁ ଶୀକ୍ଷେତ୍ରରୁ ରାଉରକେଲାକୁ ଗଡିବ ଦ୍ୱିତୀୟ ଭାରତ ଏକ୍ସପ୍ରେସ ଟ୍ରେନ, ସରିଲା ଟ୍ରାଏଲ

ପୁରୀ : ପଶ୍ଚିମ ଓଡିଶାକୁ କେନ୍ଦ୍ରର ବଡ଼ ଉପହାର । ରାଜ୍ୟରେ ଶ୍ରୀକ୍ଷେତ୍ରରୁ ରାଉରକେଲାକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗଡିବ । ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ଟ୍ରେନ ଗଡିବାକୁ ଥିବାବେଳେ ଆଜି ପୁରୀରୁ ତାଳଚେର ମଧ୍ୟରେ ହେବ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ ହୋଇଚି । ଟ୍ରାଏଲ ରନ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏଁ ରହିଛି ଏହି ଏକ୍ସପ୍ରେସ ଟ୍ରେନ । ଟ୍ରାଏଲ ରନ ପାଇଁ ପୁରୀ ଷ୍ଟେସନରୁ ସକାଳ ୯ଟା୩୦ ରୁ ବାହାରି ୧୨ ଟା ୩୦ ରେ ତାଳଚେର ପହଞ୍ଚିଥିଲା ଏହି ଟ୍ରେନ । ଚଳିତବର୍ଷ ମେ ୧୮ ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଥିଲା, ଯାହାକୁ ଭର୍ଚୁୁଆଲ ମୋଡରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ରାଜ୍ୟରେ ଗଡିବାକୁ ଯାଉଥିବା ଏହି ଦ୍ୱିତୀୟ ବନ୍ଦେ ଭାରତ ସେମି ହାଇସ୍ପୀଡ଼ ଟ୍ରେନଟି ରାଉରକେଲା,ଝାରସୁଗୁଡା,ଅନୁଗୁଳ ଓ ତାଳଚେରକୁ ଯୋଡିବ । ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ଦେଇ ଆସୁଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ । ରାଜଧାନୀରେ ଏକ୍ସପ୍ରେସ ତେଜସ୍‌ କୋଚର ଶୁଭାରମ୍ଭ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରାଉରକେଲା ରୁଟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କରିଥିଲେ । ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ ।

Comments (0)
Add Comment